ଜୟପୁର : ଡଲାଇଲାଣି ଖରା । ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା । ଖରାଦିନ ଆରମ୍ଭରୁ ଏପରି ସ୍ଥିତି ଦେଖି ପ୍ରମାଦ ଗଣିଲେଣି ଲୋକେ । କୋରାପୁଟ ଜିଲ୍ଲା ଜୟପୁର ପୌର ପରିଷଦର ହାନାଗୁଡା । ସହରକୁ ଲାଗି ରହିଥିବା ଏହି ଗାଁରେ ୬୦ ପରିବାରର ଦୁଇଶହ ଲୋକ ବସବାସ କରୁଛନ୍ତି । ହେଲେ ଖରା ଦିନ ଆରମ୍ଭ ନହେଉଣୁ ଏଠାରେ ପାଣିପାଣି ହନ୍ତସନ୍ତ ହେଲେଣି ଲୋକେ । ପାଣି ପାଇପ୍ ଫାଟି ଯିବାରୁ ପ୍ରାୟ ୪ ମାସ ହେଲା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଗାଁରେ ଥିବା ଏକମାତ୍ର ନୁଳକୂପ ଏବେ ଲୋକଙ୍କ ଭରସା । ପୌର ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଅଭିଯୋଗ ପରେ ଜୟପୁର ଉପ ଜିଲ୍ଲାପାଳ ତୁରନ୍ତ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରିବାକୁ ଜୟପୁର ପିଏଚଡି ବିଭାଗକୁ ତାଗିଦ୍ କରିଛନ୍ତି । ପାଇପ ମରାମତି କରି ଲୋକଙ୍କୁ ସୁବିଧା ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ । ଆଗକୁ ଖରା ଅଧିକ ହେବା ଆଶଂକା ଥିବାରୁ ଖୁବଶୀଘ୍ର ହାନାଗୁଡା ଗ୍ରାମ ସମେତ ଜୟପୁର ସହରର ସମସ୍ତ ଅଞ୍ଚଳରେ ପାଣି ସମସ୍ୟା ଦୁର କରାଯିବ ବୋଲି କହିଛନ୍ତି କାଉନସିଲର । ପାଣି ନଥିବାରୁ କେନାଲ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ପାଣି ପାଇଁ ଅନେକ ସମୟରେ କାମକୁ ଯାଇ ପାରୁ ନଥିବା ଅଭିଯୋଗ କରିଛନ୍ତି ।
ପାଇପ ଫାଟି ଯାଇଥିବାରୁ ୪ ମାସ ହେଲା ଆସୁନି ପିଇବା ପାଣି…

