ପାଣି ପାଇଁ ସଂଘର୍ଷ: ଧାଡିରେ ରହିଛି ଗରା, ବାଲତି… ଗୋଟିଏ ଟ୍ୟାପ ଉପରେ ନିର୍ଭର ୫୦ ପରିବାର

ଝାରସୁଗୁଡ଼ା: ପାଣି ପାଇଁ ସଂଘର୍ଷ । ଶୀତ ଦିନେ ବି ପିଇବା ପାଣି ପାଇଁ ଦୁଇକିଲୋମିଟର ଧାଉଁଛନ୍ତି ଲୋକେ । ଲମ୍ବା ଲାଇନରେ ଠିଆ ହୋଇ ବୋହିବାକୁ ପଡୁଛି ପାନୀୟ ଜଳ । ଗାଁରେ ଥିବା ନଳକୂପ ଅଚଳ ହୋଇ ପଡିଥିବାରୁ ଏମିତି ସଂଘର୍ଷ କରିବାକୁ ପଡୁଛି ଝାରସୁଗୁଡା ବ୍ଲକ ମରାକୁଟା ପଞ୍ଚାୟତ ସାଲେଟିକ୍ରା ଗାଁ ଲୋକଙ୍କୁ । ଖରା ଦିନ ଆସିଲେ ତ ସ୍ଥିତି ଅସମ୍ଭାଳ । ସେପଟେ ଏନେଇ କୌଣସି ଅଭିଯୋଗ ଆସି ନଥିବା କହିଛନ୍ତି ବିଡିଓ ।

ଅପେକ୍ଷାରେ ଲୋକେ । ଧାଡିରେ ରହିଛି ଗରା, ମାଠିଆ, ବାଲତି । ପାଣି ପାଇଁ ସଂଘର୍ଷ । ଗୋଟିଏ ଟ୍ୟାପ ଉପରେ ନିର୍ଭର ୫୦ ପରିବାର । ଇଏ ହେଉଛି ଝାରସୁଗୁଡା ବ୍ଲକ ମରାକୁଟା ପଞ୍ଚାୟତର ସାଲେଟିକ୍ରା ଗାଁର ଦୃଶ୍ୟ । ଯେଉଁଠି ପ୍ରତିଦିନ ସକାଳୁ ଉଠିଲେ ଲୋକଙ୍କୁ ଘାରେ ପିଇବା ପାଣିର ଚିନ୍ତା ।

ସକାଳୁ ସକାଳୁ ପାଣି ପାଇଁ ଗାଁରେ ଥିବା ଏକମାତ୍ର ନଳକୂପ ନିକଟରେ ଚାଲେ ପ୍ରତିଯୋଗିତା । ଲମ୍ବା ଲାଇନରେ ସଜାଇ ହୋଇ ରହିଥାଏ ଗରା, ବାଲଟି, ହଣ୍ଡା । ଗାଁରେ ୫୦ ପରିବାର ରହୁଥିବାବେଳେ ପାଣି ସମସ୍ୟା ବର୍ଷ ବର୍ଷ ଧରି ଏଠାରେ ଲାଗି ରହିଛି ।

ନଳକୂଅରୁ ପାଣି ନ ମିଳିଲେ ଲୋକେ ଦୁଇକିଲୋମିଟର ଦୂରରେ ଥିବା ରେଲଓ୍ୱେ ପାଣି ଉପରେ ନିର୍ଭର କରନ୍ତି । କିଏ ସାଇକେଲରେ ପାଣି ବୋହି ଆଣନ୍ତି ତ କିଏ ଚାଲିଚାଲି ଯାଇ ପାଣି ଆଣିବାକୁ ପଡେ । ଖରା ଦିନ ଆସିଲେ ତ ସ୍ଥିତି ସାଂଘାତିକ ହୋଇଯାଏ । ବାରମ୍ବାର ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରି ନଥିବା କହନ୍ତି ଲୋକେ । ସେପଟେ ବିଡିଓଙ୍କ କହିବା କଥା, ଏଯାଏଁ ତାଙ୍କନ ନିକଟରୁ ଅଭିଯୋଗ ଆସିନି । ଆସିଲେ ଖୁବଶୀଘ୍ର ସମାଧାନ କରାଯିବ । ପାଣିପାଇଁ ଅନେକ ଯୋଜନା, ହେଲେ କିଛି ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Leave a Reply