ପିଇବା ପାଣି ପାଇଁ ୬ ଶହ ଲୋକେ ହେଉଛନ୍ତି ଡହଳବିକଳ, ଅଭିଯୋଗ ପରେ ବି ଫଳ ଶୂନ

1 min read

ବୌଦ୍ଧ: ଟାଙ୍କି ଅଛି । ପାଇପ୍ ପଡ଼ିଛି । ଷ୍ଟାଣ୍ଡ ବି ବସିଛି । ହେଲେ ପାଣି ଆସୁନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୁରୁଣାପାଣିରେ । ୬ ଶହରୁ ଅଧିକ ଲୋକ ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି । ହେଲେ ନା ବିଭାଗୀୟ ଅଧିକାରୀଙ୍କୁ ଦିଶୁଛି ନା ଜିଲ୍ଲା ପ୍ରଶାସନକୁ । ଏପରିକି ଜିଲ୍ଲାପାଳଙ୍କୁ ବାରମ୍ବାର ଦାବି ଜଣାଇଲେ ବି କିଛି ଲାଭ ହେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଏବେ ଗାଁ ଲୋକଙ୍କ ଭରସା ପାଲଟିଛି ଦୁଇଟି ନଳକୂପ । ହେଲେ ଏଥିରୁ ପିଇବା ଯୋଗ୍ୟ ପାଣି ବାହାରୁନି । ତଥାପି ବିକଳ୍ପ କିଛି ନଥିବାରୁ ଲୋକେ ଉକ୍ତ ନଳକୂପର ପାଣି ପିଇ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି ।

ପୂର୍ବରୁ ଗ୍ରାମ ବିକାଶ ଯୋଜନା ମାଧ୍ୟମରେ ଗାଁକୁ ଜଳ ଯୋଗାଣ ହେଉଥିଲା । ତାହା ମଧ୍ୟ ଖରାପ ହୋଇ ବନ୍ଦ ହୋଇଗଲା l ପରେ ବସୁଧାକୁ ନେଇ ପାଣି ପାଇବା ପାଇଁ ବେଶ ଖୁସିଥିଲେ ଗାଁ ଲୋକେ । ହେଲେ ତାହା କାନ୍ଥ ଲେଖା ସୀମିତ ରହିଛି । ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ କିଛି ଲାଭ ହେଉ ନଥିବା ଅଭିଯୋଗ ହେଉଛି । ତେବେ କିଛି ଗାଁକୁ ଜଳ ଯୋଗାଣ ହୋଇଛି, ଅନ୍ୟ ଗାଁକୁ ମଧ୍ୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ।