ମହାନଦୀ ହତ୍ୟା ବିରୋଧରେ ଜଳପୁରୁଷଙ୍କ ସତ୍ୟାଗ୍ରହ

ଭୁବନେଶ୍ୱର: ମହାନଦୀ ହତ୍ୟା ବିରୋଧରେ ଭାରତର ଜଳପୁରୁଷ ଡାକ୍ତର ରାଜେନ୍ଦ୍ର ସିଂ ରାଣେଙ୍କ ସତ୍ୟାଗ୍ରହ । ଭୁବନେଶ୍ୱର ଲୋୟର ପିଏମଜିରେ ଦିନିକିଆ ସତ୍ୟାଗ୍ରହରେ ବସିଛନ୍ତି ରାଜେନ୍ଦ୍ର ସିଂ ରାଣେ । ତାଙ୍କ ସହ ମହାନଦୀ ସୁରକ୍ଷା ସମିତିର ଅନେକ ସଦସ୍ୟ ମଧ୍ୟ ଏହି ସତ୍ୟାଗ୍ରହରେ ସାମିଲ ଅଛନ୍ତି । ମହାନଦୀରେ ଯେଉଁ ସ୍ଥିତି ଏବେ ଉପୁଜିଛି, ତାହା ଅତ୍ୟନ୍ତ ଚିନ୍ତାଜନକ । କଲମା ବ୍ୟାରେଜ ଓ ସୁଖାସୋଢା ନିକଟରେ ଏବେ ମରୁଭୂମି ଭଳି ଚିତ୍ର । ବୁନ୍ଦେ ବି ପାଣି ନାହିଁ ।

ଆଜି ଓଡ଼ିଶାରେ ମହାନଦୀର ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରିଛନ୍ତି ରାଜେନ୍ଦ୍ର ସିଂ ରାଣେ । ତେବେ ଟ୍ରିବ୍ୟୁନାଲ ଦ୍ୱାରା ଏହି ଜଳ ବା ନଦୀ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ରାଜେନ୍ଦ୍ର ସିଂ ରାଣେ କହିଛନ୍ତି । ଟ୍ରିବ୍ୟୁନାଲ ୪ ବର୍ଷ ପରେ ମଧ୍ୟ ଶୁଣାଣି ଆରମ୍ଭ କରିନି । ଯଦି ମହାନଦୀ ସମସ୍ୟାର ସମାଧାନ ନହୁଏ, ତେବେ ଅଗାମୀ ଦିନରେ ସୁଖାସୁଢାରୁ ପାରାଦୀପ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ କରାଯିବ ବୋଲି ମହାନଦୀ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି ।