ସ୍କୁଲ ଆଗରେ ଲହଡି ଭାଙ୍ଗୁଛି ପାଣି, ଅଳିଆ ଟ୍ରଲିରେ ଆସି ସ୍ବାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ

1 min read

କାମାକ୍ଷାନଗର: ସ୍କୁଲ ସାମ୍ନାରେ ଓ ଭିତରେ ଲହଡି ମାରୁଛି ଚାରି ଫୁଟର ପାଣି । ଅଳିଆ ବୁହା ହେଉଥିବା ଟ୍ରଲିରେ ଆସି ସ୍କୁଲରେ ସ୍ୱାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । କାମାକ୍ଷାନଗର ଆଳତୁମା ଗାଁ ଦଧିବାମନ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସ୍ୱାଧୀନତା ଦିବସ ପାଳିବାକୁ ଆସି ଟ୍ରଲିରେ ବୁହା ହେଲେ ଛାତ୍ରଛାତ୍ରୀ । ସ୍କୁଲ ଯିବା ରାସ୍ତାରେ ଓ ସ୍କୁଲ ପରିସରରେ ଲହଡି ମାରୁଛି ପାଣି । ଫଳରେ ବିପଦସଂକୁଳ ଅବସ୍ଥାରେ ସ୍କୁଲ ଯାଇଛନ୍ତି । ସ୍କୁଲରେ ପ୍ରଥମ ଶ୍ରେଣୀଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି । ବର୍ଷା ଦିନେ ଜଳ ନିଷ୍କାସନର ସୁବିଧା ନଥିବାରୁ ସ୍କୁଲ ରାସ୍ତା ଓ ସ୍କୁଲ ଭିତରେ ପାଣି ଜମି ରହୁଛି । ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏ ସମ୍ପର୍କରେ ବାରମ୍ବାର ବିଇଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ ସ୍କୁଲ ରାସ୍ତାରେ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ l ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ସରକାର ଓ ପ୍ରଶାସନକୁ ଦାବି କରିଛନ୍ତି ପ୍ରଧାନଶିକ୍ଷୟିତ୍ରୀ  ଗ୍ରାମବାସୀ ।