ବଢ଼ୁଛି ଜଳକା ନଦୀ ଜଳସ୍ତର, ଛୁଉଁଛି ବିପଦ ସଙ୍କେତ

Jalaka Flood

ବାଲେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ବୁଧବାରଠାରୁ ବର୍ଷା ଲାଗିରହିଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଧା ୭.୦୫ ମିଟରରେ ଜଳ ପ୍ରବାହିତ ହେଉଛି । ଫଳରେ କଟି ପୋଲ ଠାରୁ ସାନ ଖୁଡ଼ି ରାସ୍ତାରେ ୩ ଫୁଟର ପାଣି ଚାଲିଛି । କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ସେହିପରି ବସ୍ତା ହସ୍ପିଟାଲ ମଧ୍ୟରେ ପାଣି ଜମିଛି ।

ସେହିଭଳି ବୌଦ୍ଧ ଜିଲ୍ଲାରେ ୩ ଦିନ ଧରି ଲାଗିରହିଛି ବର୍ଷା । ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ହରଭଙ୍ଗା ବ୍ଲକରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଧଳପୁର, ଖଣ୍ଡିଧଳପୁର, ଖରଙ୍କୁଳେଇ, ତେନ୍ତୁଳିପଦର, ରାଉତପଡା, ପାଣିଘରା, ସଦଲଗଣ୍ଡା, କୁତୁରି, ମାରାଡ଼ା, ଅତଲସରା ସହ ୪୦ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଜମିରହିଛି । ଅନ୍ୟପଟେ ଜଗନ୍ନାଥ ସଡକ ରାସ୍ତା ଉପରେ ୫ ଫୁଟରୁ ଉର୍ଦ୍ଧ୍ୱ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୁର୍ଣ୍ଣ ଭାବେ ଠପ ହୋଇଯାଇଛି ।

Leave a Reply