କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବନ୍ଦ ହେଲା ଆଉ ୪ଟି ଗେଟ

ଭୁବନେଶ୍ୱର : କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପରିସ୍ଥିତିକୁ ନଜରରେ ରଖି  ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହୋଇଛି ଆଉ ୪ଟି ଗେଟ । ଏବେ ୩୬ଟି ସ୍ଲୁଇସ୍ ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳଭଣ୍ଡାରର ବିପଦ ସଂକେତ ୬୩୦ ଥିବା ବେଳେ ଏବେ ୬୨୭.୨୯ ରହିଛି ଜଳସ୍ତର । ଜଳଭଣ୍ଡାରକୁ ୪ ଲକ୍ଷ ୯୪ ହଜାର ୯୪ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩୬ଟି ସ୍ୱିସଗେଟ ଦେଇ ୬ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାର୍ଶ୍ୱରୁ ୨୩ଟି ଏବଂ ଦକ୍ଷିଣପାର୍ଶ୍ୱରୁ ୧୩ଟି ସ୍ଲୁଇସଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ଛତିଶଗଡ଼ରେ ବର୍ଷା କମିବା ପରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି । ତେଣୁ ଧୀରେ ଧୀରେ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯିବ । ଆଜି ଧୀରେ ଧୀରେ ମୁଣ୍ଡଳିରେ କମିବ ଜଳ ପ୍ରବାହ । ଏହା ପରେ କେନ୍ଦ୍ରାପଡ଼ା ଓ ପୁରୀରେ ମଧ୍ୟ ଜଳ ପ୍ରବାହ କମିବ । ମହାନଦୀରେ ବନ୍ୟା ଆସିବା ଫଳରେ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି ।

ପୁରୀରେ ଦୟା, ଭାର୍ଗବୀ ପାଇଁ କଣାସ, ଡେଲାଙ୍ଗର ବହୁ ଗାଁ ଜଳମଗ୍ନ ରହିଛି। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ରାଜ୍ୟର ୨୦ ଜିଲ୍ଲାର ୧୧୨ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୧୭ଜଣଙ୍କ ମୃତ୍ୟୁ ହୋଇଛି। ଯେକୌଣସି ସ୍ଥିତି ପାଇଁ ଅଗ୍ନିଶମ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍ ଟିମ୍ ତୟାର ଅଛନ୍ତି, ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଛି । ସେପଟେ ବର୍ଷା କମିବା ପରେ ସୁଧୁରୁଛି ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି । ବିପଦ ସଂକେତ ତଳେ ରହିଛି ଜଳସ୍ତର ।

Leave a Reply