ରାଉରକେଲାରେ ଝାଡ଼ାବାନ୍ତି ସଂକ୍ରମଣ ରୋକିବାକୁ ଆକ୍ସନ୍ ମୋଡରେ ୱାଟର କର୍ପୋରେସନ୍ ଅଫ୍ ଓଡିଶା ୱାଟକୋ

ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାଝାଡ଼ାବାନ୍ତି ସଂକ୍ରମଣ ରୋକିବାକୁ ଆକ୍ସନ୍ ମୋଡରେ ୱାଟର କର୍ପୋରେସନ୍ ଅଫ୍ ଓଡିଶା ୱାଟକୋ।  ରାଉରକେଲାର ୬୦ରୁ ଅଧିକ ସ୍ଥାନରେ ପାଣି ପାଇପ ଲିକେଜର ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି। ଏଥିସହ ଚିହ୍ନିତ ହଟସ୍ପଟ୍ ଅଞ୍ଚଳରେ ଜଳର ଗୁଣବତ୍ତା ପରୀକ୍ଷା ଜୋରଦାର କରାଯାଇଛି।

ଗତ କିଛି ଦିନ ଧରି ଜଳର ଉତ୍ସ, ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ମୁଖ୍ୟ ଜଳଭଣ୍ଡାର, ବିତରଣ ନେଟୱାର୍କ ସ୍ତରରେ ହାଇପର କ୍ଲୋରିନେସନ୍ କରାଯାଇଛି। ସହରର ପ୍ରାୟ ୧୮୦୦ ହ୍ୟାଣ୍ଡ ପମ୍ପ ଏବଂ ଷ୍ଟାଣ୍ଡ ପୋଷ୍ଟ ଗୁଡିକରେ ମଧ୍ୟ କ୍ଲୋରିନେସନ୍ କାମ ସରିଛି। ଉଭୟ ଟ୍ରିଟମେଣ୍ଟ ଏବଂ ବଣ୍ଟନସ୍ତରରେ କ୍ଲୋରିନେସନ୍ ଦ୍ୱାରା ପାନୀୟ ଜଳକୁ ବିଶୁଦ୍ଧ କରାଯାଉଛି। ସହରରେ ଜଳସାଥୀ ଗ୍ରାହକଙ୍କ ଘରକୁ ଯାଇ ଅବଶିଷ୍ଟ କ୍ଲୋରିନ୍ ମାତ୍ରା ଜାଣିବା ପାଇଁ ପ୍ରତିଦିନ ପ୍ରାୟ ୩୦୦ଜଳ ନମୁନା ପରୀକ୍ଷା କରାଉଛନ୍ତି। ତଥ୍ୟକୁ ୱାଟକୋ ପ୍ରତିଦିନ ତଦାରଖ ଏବଂ ବିଶ୍ଳେଷଣ କରୁଛି। ଜଳ ଯୋଗାଣ ବଣ୍ଟନ ନେଟୱାର୍କକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ରଖିବା ପାଇଁ ୫୦ରୁ ଅଧିକ ତାଲିମପ୍ରାପ୍ତ ଶ୍ରମିକ ଏବଂ ୱାଟକୋ ଅଧିକାରୀ ସହରରେ ସମ୍ଭାବ୍ୟ ଲିକେଜ୍ ପଏଣ୍ଟରେ ପାଇପଲାଇନ ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି। ନାଗରିକଙ୍କୁ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଅଭ୍ୟାସ ତଥା ନିରାପଦ ପାନୀୟ ଜଳର ବ୍ୟବହାର ନେଇ ଜଳସାଥୀମାନେ ଘରକୁ ଘର ଯାଇ ବୁଝାଉଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ରାଉରକେଲା ମହାନଗର ନିଗମ, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିୟମିତ ଭାବେ ନଜର ରଖାଯାଇଛି ।