ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ନିଖୋଜ ହେବା ଘଟଣା, ସାମନାକୁ ଆସିଲା ଚମକାଇ ଦେବା ଭଳି ଖବର

ନୂଆଦିଲ୍ଲୀ:  ଉତ୍ତରକୋରିଆର ଜଣେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସୁପ୍ରିମ ଲିଡରଙ୍କ ବୈଠକରେ ଢୁଳାଉଥିଲେ ବୋଲି ତାଙ୍କୁ ତୋପ ଆଗରେ ବାନ୍ଧି ଉଡ଼ାଇ ଦିଆଯାଇଥିଲା । ଉତ୍ତର କୋରିଆରେ ଏମିତି ହେବା ସାମାନ୍ୟ କଥା । ଉତ୍ତର କୋରିଆ ଭଳି ଚୀନରେ ମଧ୍ୟ ବଡ଼ବଡ଼ ନେତା କେତେବେଳେ ସୁପ୍ରିମଲିଡରଙ୍କ କ୍ରୋଧର ଶିକାର ହେବେ ତାହା କେହି କହିପାରିବେ ନାହିଁ । ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଯଦି ବିଶ୍ୱାସ କରାଯାଏ ତେବେ ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ଯନ୍ତ୍ରଣା ଦେଇ ହତ୍ୟା କରାଯାଇଛି । ଯେଉଁ ନେତାଙ୍କୁ ହତ୍ୟା କରାଯାଇଥିବା ଆମେରିକୀୟ ଗଣମାଧ୍ୟମ ଦାବି କରୁଛନ୍ତି ତାଙ୍କ ନାମ ହେଉଛି କିନ୍ ଗ୍ୟାଙ୍ଗ୍।

ଚଳିତ ବର୍ଷ ଜୁନ ମାସରୁ ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ହଠାତ ନିଖୋଜ ହୋଇଯାଇଥିଲେ । ତାଙ୍କୁ କୌଣସି ପବ୍ଲିକ ପ୍ଲାଟଫର୍ମରେ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ  ନେଇ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କିନ୍ ଗାଏବ ହେବା ପରେ ଏହା ଆଶଙ୍କା କରାଯାଉଥିଲା ଯେ, ତାଙ୍କୁ କୌଣସି ଅଭିଯୋଗରେ ଜେଲର ରଖାଯାଇଥିବ କିମ୍ବା ସେ ନଜରବନ୍ଦୀ ଥିବେ । କିନ୍ତୁ ଏବେ ଯାହା ଖବର ଆସୁଛି ତାହା ଚମକାଇ ଦେବାଭଳି । ଯଦି ଆମେରିକୀୟ ଏବଂ ବ୍ରିଟିଶ ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କିନ୍ ଗ୍ୟାଙ୍ଗକୁ ହତ୍ୟା କରାଯାଇଛି।

ବିଶ୍ୱାସଘାତକତା ଅଭିଯୋଗରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆଦେଶରେ ତାଙ୍କୁ  ହତ୍ୟା କରାଯାଇଛି ବୋଲି ରିପୋର୍ଟରେ ଦାବି କରାଯାଇଛି। କୁହାଯାଉଛି ଯେ ଚୀନ୍ କର୍ତ୍ତୃପକ୍ଷ  ବନ୍ଦୀ ଅବସ୍ଥାରେ ତାଙ୍କୁ ନିର୍ଯାତନା ଦେଇଛନ୍ତି। କେବଳ କିନ୍  ଗ୍ୟାଙ୍ଗ ନୁହଁନ୍ତି ଚୀନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଏବଂ ବହୁ ଅଧିକାରୀଙ୍କୁ ଦେଶ ସହିତ ବିଶ୍ୱାସଘାତ ଅଭିଯୋଗରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ମଧ୍ୟ ଦାବି କରାଯାଉଛି । ଆମେରିକାକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କିନ୍ ଗ୍ୟାଙ୍ଗଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

ଆମେରିକୀୟ ପତ୍ରିକା ପଲିଟିକୋରେ ପ୍ରକାଶିତ  ରିପୋର୍ଟ ଅନୁସାରେ ଋଷ ବୈଦେଶିକ ମନ୍ତ୍ରୀ ରୁଡେଙ୍କୋ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ  କିନ ଗ୍ୟାଙ୍ଗଙ୍କ ବିଶ୍ୱାସଘାତକତା ବାବଦରେ ସତର୍କ କରାଇଥିଲେ । ଋଷଠାରୁ ସୂଚନା ପାଇବା ପରେ କିନଙ୍କୁ ଗିରଫ କରାଯାଇଥିଲା ବୋଲି ପଲିଟିକୋ ଦାବି କରିଛି । କିନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପାଶ୍ଚାତ୍ୟ ଗୁପ୍ତଚର ସଂସ୍ଥାଗୁଡ଼ିକୁ ଚୀନ୍‌ର ଆଣବିକ ରହସ୍ୟ ବାବଦରେ ଗୁପ୍ତ ତଥ୍ୟ ଯୋଗାଉଥିଲେ ବୋଲି ଋଷ,ଚୀନକୁ କହିଥିଲା ।  ଜୁନ୍ ମାସରେ କିନ୍ ଗ୍ୟାଙ୍ଗ୍ ଅଚାନକ ନିଖୋଜ ହେବା ପରେ ତାଙ୍କର ତଥାକଥିତ ପ୍ରେମିକା ଫୁ’ ଜିଆଓଟିୟାନ ମଧ୍ୟ ନିଖୋଜ ହୋଇଥିଲେ । କିନ୍ ଗ୍ୟାଙ୍ଗଙ୍କର ଫିନିକ୍ସ ଟିଭିର ସାମ୍ବାଦିକ ଫୁ ଜିଆଓଟିୟାନଙ୍କ ସହ ସମ୍ପର୍କ ଥିବା ନେଇ ଚୀନରେ ଚର୍ଚ୍ଚା ଜୋରି ଧରିଥିଲା । କିନ୍ ନିଖୋଜ ହେବାର କିଛି ମାସ ପୂର୍ବରୁ ଫୁ’ତାଙ୍କର କିନ ଗ୍ୟାଙ୍ଗଙ୍କ ସହିତ ସମ୍ପର୍କ ରହିଛି ବୋଲି ସ୍ୱୀକାର କରିଥିଲେ । ଏମିତିକି କିନଙ୍କ ଔରସରୁ ତାଙ୍କର ସନ୍ତାନ ଥିବା ସେ ଦାବି କରିଥିଲେ । ତେବେ କିନ୍ ଗାୟବ ହେବା ପରଟାରୁ ଫୁ’ଙ୍କର ମଧ୍ଯ କିଛି ପତା ମିଳୁନାହିଁ ।

ଆଗରୁ  ନିଖୋଜ ହୋଇଛନ୍ତି ଅନେକ ଅଧିକାରୀ

ଫୁଙ୍କର ହଠାତ୍ ନିଖୋଜ ହେବାର ପ୍ରକୃତ କାରଣ ହେଉଛି କିନ ଗ୍ୟାଙ୍ଗଙ୍କର ଅନେକ ଗମ୍ଭୀର ଦୁର୍ନୀତିରେ ସମ୍ପୃକ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଚୀନ୍‌ର ‘ରକେଟ୍ ଫୋର୍ସ’ର ଅନେକ ବରିଷ୍ଠ ଜେନରାଲ ମଧ୍ଯ ଏହି ସମୟ ଅବଧିରେ ନିଖୋଜ ହୋଇଛନ୍ତି । ନିଖୋଜଙ୍କ ମଧ୍ଯରେ ଅଛନ୍ତି ଟପ୍ ରକେଟ୍ ଫୋର୍ସ କମାଣ୍ଡର ଲି ୟୁଚାଓ, ତାଙ୍କ ଡେପୁଟି ଲିୟୁ ଗୁଆଙ୍ଗବିନ୍ ଏବଂ ପୂର୍ବତନ ଡେପୁଟି ଜେନରାଲ ଝାଙ୍ଗ ଜେନଜୋଙ୍ଗ । ଯଦି ସରକାରୀ ଗଣମାଧ୍ୟମକୁ ବିଶ୍ୱାସ କରାଯାଏ, ତେବେ ରକେଟ ଫୋର୍ସର ଆହୁରି ଅନେକ ବରିଷ୍ଠ କମାଣ୍ଡର ଏବଂ ପୂର୍ବତନ ଅଧିକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏଥିସହ ଅନ୍ତତଃ ପକ୍ଷେ ଜଣେ ପୂର୍ବତନ ଡେପୁଟି କମାଣ୍ଡର ହଠାତ କୌଣସି ରୋଗରେ ମୃତ୍ୟୁ ବରଣ କରିଥିଲେ।