ଓ୍ବାର୍ଡ ସଭ୍ୟଙ୍କୁ ଗୋଡେଇ ଗୋଡେଇ ହାଣିଲେ

1 min read

ବାଲେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଓ୍ବାର୍ଡ ସଭ୍ୟଙ୍କୁ ଗୋଡେଇ ଗୋଡେଇ ହାଣିଲେ। ପରେ ବାଇକକୁ ପୋଡ଼ି ଦେଲେ ଦୁର୍ବୃତ୍ତ l ଗୁରୁତର ଅବସ୍ଥାରେ ଓ୍ବାର୍ଡ ସଭ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡ଼ାଲଙ୍ଗ ଗାଁରେ ୬ନଂ ୱାର୍ଡର ସଭ୍ୟ ଦୀପକ ପାଣିଗ୍ରାହୀ ଏକ ସମସ୍ୟାର ସମାଧାନ ପାଇଁ ଜଳଦା ପଞ୍ଚାୟତ ସମ୍ପେଇ ଗାଁକୁ ଯାଇଥିଲେ । ଘଟଣାର ସମାଧାନ ସାରି ଘରକୁ  ଫେରୁଥିବା ବେଳେ ତୁଟ ମୁନିପଦା ଠାରେ ୭ରୁ ଅଧିକ ଯୁବକ ମୁଁହରେ ଲୁଗା ବାନ୍ଧି ଭୁଜାଲି ଓ ପାଇପରେ ତାଙ୍କୁ ଆକ୍ରମଣ କରିଥିଲେ l

ଦୀପକ ଜୀବନ ବିକଳରେ ଦୌଡ଼ି ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଘଟଣା ଭିଆଇବା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ l ଚିତ୍କାର ଶୁଣି ପାଖ ଲୋକମାନେ ଗୁରୁତର ଅବସ୍ଥାରେ ଦୀପକଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି l କିଛି ଦିନ ତଳେ ତୁଡ଼ିଗଡିଆ ବଜାରରେ କିଛି ଗଣ୍ଡଗୋଳକୁ ନେଇ ତୁଟ ଗାଁର କିଛି ଯୁବକଙ୍କ ସହିତ ଦୀପକଙ୍କର ଯୁକ୍ତିତର୍କ ହୋଇଥିଲା l ସେହି ଘଟଣାଙ୍କୁ ନେଇ ଦୀପକଙ୍କୁ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି l ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି l