ବେଙ୍ଗାଲୁରୁରେ ୱାଲ୍ଡେନଉଡର ‘ଗାଁ କୁ ଫେରିଚାଲ’ ଅଭିଯାନ

ବେଙ୍ଗାଲୁରୁ: କପିଳାସ ପାହାଡିର ପାଦଦେଶରେ ଅବସ୍ଥିତ ୱାଲ୍ଡେନଉଡ ପରିବେଶ ଗ୍ରାମ ତରଫରୁ ନିକଟରେ ବେଙ୍ଗାଲୁରୁଠାରେ ‘ଗାଁ କୁ ଫେରିଚାଲ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ହୋଇଥିବା ବହୁ ପରିବେଶବିତ୍, ପରିମଳ ବିଶେଷଜ୍ଞ ଏବଂ ସ୍ୱଚ୍ଛତା ପ୍ରେମୀ ଜନସାଧାରଣ ଯୋଗ ଦେଇଥିବା ଦେଖାଯାଇଥିଲା । ୱାଲ୍ଡେନଉଡର ପ୍ରତିଷ୍ଠାତା ବିଖ୍ୟାତ ପରିବେଶବିତ୍ ରାମକୃଷ୍ଣ ଦାଶଙ୍କର ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିଚାରଗୋଷ୍ଠୀର ମୁଖ୍ୟ ଉଦ୍ଦେଶ୍ୟ, ପୁନର୍ବାର ଗ୍ରାମକୁ ଫେରିଯିବା ଏବଂ ଗ୍ରାମାଞ୍ଚଳକୁ ସୁସ୍ଥ, ସଂଯତ ଏବଂ ସ୍ଵଚ୍ଛ କରି ଗଢ଼ି ତୋଳିବା ଥିଲା ।

ଇକୋ ମ୍ୟାନ ଆର୍ କେ ଭାବରେ ସୁପରିଚିତ ଶ୍ରୀ ଦାଶ, ‘ଗାଁକୁ ଫେରିଚାଲ’ ଭଳି ଅନନ୍ୟ ଅଭିଯାନର ପରିକଳ୍ପନା ଓ କାର୍ଯ୍ୟାନ୍ଵୟନ ନେଇ ମାର୍ଗପନ୍ଥା ନିର୍ଦ୍ଧାରଣ କରିଛନ୍ତି । ଆୟୋଜିତ ଆଲୋଚନା ଚକ୍ରରେ ଉଦଘାଟନୀ ଭାଷଣ ପ୍ରଦାନ କରି ମୁଖ୍ୟ ଆୟୋଜକ ଏବଂ ୱାଲ୍ଡନଉଡ୍ ଇକୋ ଫାଉଣ୍ଡେସନର ଅଧ୍ୟକ୍ଷ ରାମକୃଷ୍ଣ ଦାଶ, ଆଜିକାଲି ଗ୍ରାମ ମାନଙ୍କରୁ ବ୍ୟାପକ ଭାବେ ସହରାଞ୍ଚଳକୁ ପଳାୟନ ହେଉଥିବା ପ୍ରଥାକୁ ତୀବ୍ର ନିନ୍ଦା କରିଥିଲେ ।  ବିଶେଷ କରି କରୋନା କାଳରେ ଲୋକମାନେ ଘରେ ରହି କାମ କରିବା ବ୍ୟବସ୍ଥା ସମ୍ପର୍କରେ ଅଭ୍ୟସ୍ତ ହୋଇସାରିଥିବାରୁ, ଏହି କର୍ମସ୍ଥଳିକୁ ବଗିଚା ଏବଂ ବିଲ ପର୍ଯ୍ୟନ୍ତ ସ୍ଥାନାନ୍ତରିତ କରା ଯିବାକୁ ଶ୍ରୀ ଦାଶ ପ୍ରସ୍ତାବ ଆଗତ କରିଥିଲେ।

ସଭାକୁ ସମ୍ବୋଧନ କରି ମୁଖ୍ୟ ଅତିଥି ନୟୀଭାଲି ଲିଗ୍ନାଇଟ କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଶରତ ଚନ୍ଦ୍ର ଆଚାର୍ଯ୍ୟ ପରିବର୍ତ୍ତିତ ସମୟ ସହିତ ସଠିକ୍ ଭାବେ ତାଳ ମିଳାଇ ଚାଲିବାକୁ ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ପ୍ରସିଦ୍ଧ ଷ୍ଟାର୍ଟଅପ୍ ପ୍ରୋତ୍ସାହକ ପ୍ରଣବ ପାଣି, ୱାଲ୍ଡେନଉଡ ଏବଂ ଆର୍.କେଙ୍କର ଗ୍ରାମାଞ୍ଚଳ କୁ ସଶକ୍ତିକରଣ କରିବା ପ୍ରଚେଷ୍ଠାକୁ ଭୁରୀ ଭୂରୀ ପ୍ରଶଂସା କରିଥିଲେ। ଗାଁର ବିକାଶ ତ୍ୱରାନ୍ୱିତ କରାଯାଉଥିବା ସମୟରେ ପରିବେଶ ଓ ପରିମଳ ସୁରକ୍ଷା ଦିଗରେ ସତତଃ ଧ୍ୟାନ ଦିଆଯିବାକୁ ଶ୍ରୀ ପାଣି ନିବେଦନ କରିଥିଲେ।

ମୁଖ୍ୟ ବକ୍ତା ଶାନ୍ତନୁ ପ୍ରଧାନ କପିଳାସର ମନୋଜ୍ଞ ପରିବେଶକୁ, ବେଙ୍ଗାଲୁରୁ ନିକଟସ୍ଥ କ୍ରୁକ୍ ଇଲାକା ସହିତ ତୁଳନା କରି, ପ୍ରବାସୀ ଓଡ଼ିଆ ମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ଅଧିକରୁ ଅଧିକ ପରିବେଶ ଗ୍ରାମ ନିର୍ମାଣ କରାଯିବାକୁ ଆହ୍ବାନ ଜଣାଇଥିଲେ । ଅନ୍ୟତମ ଅତିଥିବକ୍ତା ଅହିମାଣିକ୍ୟ ଶତପଥୀ ନିଜର ପଚିଶ ବର୍ଷର କର୍ପୋରେଟ କାର୍ଯ୍ୟକାଳ ଉପରେ ଆଲୋକପାତ କରି ୱାଲ୍ଡେନଉଡର ଗ୍ରାମାଭିମୁଖୀ ଅଭିଯାନକୁ ସ୍ୱାଗତ ଜଣାଇ, ଏବେ ସେ ଗାଁ କୁ ଫେରି ଚାଷବାସରେ ମନୋନିବେଶ କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ।

ୱାଲ୍ଡେନଉଡ ଇକୋ ଭିଲେଜର ଯୁବ ଏବଂ ଉଦୀୟମାନ ନିର୍ଦ୍ଦେଶିକା ନନ୍ଦିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସୌମ୍ୟଶ୍ରୀ ଦାସ, ସୂର୍ଯ୍ୟ ପ୍ରକାଶ ମହାପାତ୍ର, ରୀନା ମହାପାତ୍ର, ଆଶୁତୋଷ ପାଣିଗ୍ରାହୀ, ଲିପ୍ସା ପାଣିଗ୍ରାହୀ, ଦୀପକ ଆଚାର୍ଯ୍ୟ, ଏସ ମାଣ୍ଡି, ଦେବାଶିଷ ସାହୁ, ସୁବ୍ରତ ମହାନ୍ତି, ଉଦୟ ଏନ୍ ତ୍ରିପାଠୀ, ସବିତା ରାଣୀ ଦାସ, ଆଶା ଶତପଥୀ ଓ ସସ୍ମିତା ପ୍ରଧାନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।