ମୁଖ୍ୟ କୋଚ୍ ପଦରୁ ଯିବେ ରାହୁଲ ଦ୍ରାବିଡ଼, କିଏ ହେବେ ଟିମ୍ ଇଣ୍ଡିଆର ନୂଆ କୋଚ୍ ?

1 min read

ମୁମ୍ବାଇ: ଦିନିକିଆ ବିଶ୍ବକପ୍ ଶେଷ ହେବା ସହ ଶେଷ ହୋଇଛି ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କଣ୍ଟ୍ରାକ୍ଟ । ଏବେ ସମସ୍ତଙ୍କ ନଜର, ବିସିସିଆ ଦ୍ରାବିଡ଼ଙ୍କୁ କୋଚ ଭାବେ ଆଗକୁ ନେଉଛି ନା ତାଙ୍କ ସ୍ଥାନରେ ଆଉ କାହାକୁ ମୁଖ୍ୟ କୋଚ୍ ପଦରେ ବସାଇବ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦ୍ରାବିଡ଼, ମୁଖ୍ୟ କୋଚ୍ ପଦକୁ ବାଏ ବାଏ କରିପାରନ୍ତି । ଯଦି ଏମିତି ହୁଏ, ତେବେ କିଏ ହେବ ଭାରତୀୟ କ୍ରିକେଟ୍ ଟିମର ପରବର୍ତ୍ତୀ ମୁଖ୍ୟ କୋଚ୍ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସେପଟେ ବିସିସିଆଇ ୨୦୨୪ ଟି-୨୦ ବିଶ୍ବକପକୁ ନଜରରେ ରଖି ଏନସିଏ ଚିଫ୍ ଭିଭିଏସ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ବ ଦେଇପାରନ୍ତି । ବିସିସିଆଇ ଅଧିକାରୀ ଓ ରାହୁଲ ଦ୍ରାବିଡ଼ଙ୍କ ମଧ୍ୟରେ ମୁଖ୍ୟ କୋଚକୁ ନେଇ ବିଚାର କରାଯାଇଛି । ସୂଚନାଯୋଗ୍ୟ, ଦ୍ରାବିଡ଼ ଯେବେ କୋଚିଂରୁ ବ୍ରେକ୍ ନେଉଥିଲେ, ଲକ୍ଷ୍ମଣଙ୍କୁ ତାଙ୍କ ଭୂମିକାରେ ଦେଖିବାକୁ ମିଳୁଥିଲା । ୪୯ ବର୍ଷିୟ ଲକ୍ଷ୍ମଣ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳୁଥିବା ଭାରତୀୟ ଦଳର ମୁଖ୍ୟ କୋଚ୍ ଅଛନ୍ତି ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ରାହୁଲ ଓ ବିସିସିଆଇ ବର୍ତ୍ତମାନର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ । ସମସ୍ତଙ୍କୁ ଲାଗୁଛି ଟି୨୦ ବିଶ୍ବକପକୁ ଆଉ ମାତ୍ର ୭ରୁ ୮ ମାସ ଥିବାରୁ ନୂଆ କୋଚ ଆସି ଟିମ ବନାଇବା ଓ ତାଙ୍କ ରଣନୀତି କାମରେ ଲଗାଇବାକୁ ସମୟ ଲାଗିବ । ଅନ୍ୟପକ୍ଷରେ ଦ୍ରାବିଡ଼ ବିଶ୍ବକପ ପର୍ଯ୍ୟନ୍ତ କୋଚ ରହିଲେ, ଏମିତି ସ୍ଥିତି ଉପୁଜିବନି ।’

ଏହି ଦୁଇ ବର୍ଷ ମୁଖ୍ୟ କୋଚ୍ ଭାବେ ଦ୍ରାବିଡ଼ ଯେଉଁ କାମ କରିଛନ୍ତି, ସେଥିରେ ବିସିସିଆଇ ସନ୍ତୁଷ୍ଟ ଅଛି । ଯଦିଓ ଭାରତ ଏହାରି ଭିତରେ କୌଣସି ଆଇସିସି ଟ୍ରଫି ଜିତିନାହିଁ, ତେବେ ଭାରତ ଭଲ ପ୍ରଦର୍ଶନ କରି ଆସିଛି । କ୍ରିକେଟର ତିନୋଟି ଫର୍ମାଟ୍ ଟେଷ୍ଟ, ଦିନିକିଆ ଓ ଟି୨୦ରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି ।