ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଏସପି କହିଲେ, ମର୍ଡର ନୁହେଁ ପାଣିରେ ବୁଡି ଯାଇଛି ଜୀବନ

ବୁର୍ଲା: ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ନେଇ ପୋଲିସର ଖୁଲାସା । ଚିନ୍ମୟୀଙ୍କୁ ହତ୍ୟା କରାଯାଇନି ବୋଲି ସମ୍ବଲପୁର ଏସପି ବି. ଗଙ୍ଗାଧର କହିଛନ୍ତି । ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି । ହେଲେ କେମିତି ଓ କେଉଁ ପରିସ୍ଥିତିରେ ପାଣିରେ ବୁଡ଼ିଲେ ସେନେଇ ତଦନ୍ତ ଚାଲିଥିବା ଏସପି ସୂଚନା ଦେଇଛନ୍ତି । ମୃତ୍ୟୁର କିଛି ସମୟ ପୂର୍ବରୁ ଚିନ୍ମୟୀ ତାଙ୍କ ବନ୍ଧୁମାନଙ୍କ ସହ ଏକ ଢାବାରେ ଖାଉଥିବା ସମୟର ସିସିଟିଭି ଫୁଟେଜ ମିଳିଛି । ସିସିଟିଭି ଫୁଟେଜରେ ସମସ୍ତେ ନିଶା ସେବନ କରୁଥିବା ଦେଖାଯାଉଛି । ଭିସେରା ରିପୋର୍ଟରୁ ଏହା ସ୍ପଷ୍ଟ ହେବ ବୋଲି ସମ୍ବଲପୁର ଏସପି କହିଛନ୍ତି ।

ପୋଷ୍ଟମର୍ଟମ ରିପୋର୍ଟରେ ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ ହୋଇଛି । ବେକରେ ଥିବା ଦାଗ ଶ୍ବାସରୁଦ୍ଧ ଜନିତ ନୁହେଁ । ତାଙ୍କ ଦେହରେ ଥିବା ୬ଟି ଚିହ୍ନ ପାଣିରେ ବୁଡ଼ିଯିବା ବେଳେ କୌଣସି କାରଣରୁ ହୋଇ‌ଥାଇପାରେ ବୋଲି ପୋଲିସ କହିଛି । ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରୀତିମାନ ଓ ମାନସ ସତ କହିଛନ୍ତି। ସବୁ ତଥ୍ୟ ପୋଲିସ ପାଖରେ ରହିଛି । ଆବଶ୍ୟକ ପଡ଼ିଲେ ପୁରୁଷ ବନ୍ଧୁଙ୍କର ନାର୍କୋ ଟେଷ୍ଟ କରାଯିବ ବୋଲି ଏସପି ଗଙ୍ଗାଧର ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୨୮ ତାରିଖରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ବେଳେ, ମାର୍ଚ୍ଚ ୧ ତାରିଖରେ ମାମଲା ରୁଜୁ କରି ଛାନବିନ୍ ଚଳାଇଛି ପୋଲିସ ।