ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ, ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ

ଭୁବନେଶ୍ୱର: ଆରମ୍ଭ ହେଲା ପୌର ନିର୍ବାଚନ ପାଇଁ ଭୋଟିଂ । ନେତା ବାଛୁଛନ୍ତି ସହରବାସୀ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ ।

ଚଳିତ ପୌର ନିର୍ବାଚନରେ ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିଛି । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିଛି । କଟକର ମେୟର, ବାରିପଦାର ଅଧ୍ୟକ୍ଷ ପଦ ପାଇଁ ୧୬ ଜଣ ଏବଂ ଜୟପୁରର ଅଧ୍ୟକ୍ଷ ପଦ ପାଇଁ ୧୮ ଜଣ ପ୍ରାର୍ଥୀ ଥିବାରୁ ଏହିସବୁ ଜାଗାରେ ଗୋଟିଏ ଲେଖାଏଁ ଅତିରିକ୍ତ ବାଲଟ୍ ୟୁନିଟ୍ ଇଭିଏମ୍ ଲାଗିଛି । ସହରାଞ୍ଚଳରେ ଗୋଟିଏ ଲେଖାଏଁ ମହିଳାଙ୍କ ଦ୍ବାରା ପରିଚାଳିତ ପିଙ୍କ ବୁଥ୍ ଏବଂ ଆଦର୍ଶ ବୁଥ ରହିଛି । ପୌର ନିର୍ବାଚନରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ନିୟୋଜିତ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ହୋଇଛନ୍ତି । ଭୁବନେଶ୍ବରରେ ୩୦, କଟକରେ ୨୦ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।