ଆଜି ନେତା ବାଛିବ ସହର, ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ

ଭୁବନେଶ୍ୱର: ଆଜି ନେତା ବାଛିବ ସହର । ରାଜ୍ୟରେ ପଡ଼ିବ ପୌର ଭୋଟ୍ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ହେବ ନିର୍ବାଚନ । ଏହାରି ଭିତରେ ରହିଛି ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମ । ୪ ହଜାର ୩୭୩ ବୁଥରେ ମୋଟ ୪୦ ଲକ୍ଷରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ।

ଚଳିତ ପୌର ନିର୍ବାଚନରେ ପ୍ରତି ବୁଥରେ ରହିଛି ଦୁଇଟି ଇଭିଏମ୍ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ । କଟକର ମେୟର, ବାରିପଦାର ଅଧ୍ୟକ୍ଷ ପଦ ପାଇଁ ୧୬ ଜଣ ଏବଂ ଜୟପୁରର ଅଧ୍ୟକ୍ଷ ପଦ ପାଇଁ ୧୮ ଜଣ ପ୍ରାର୍ଥୀ ଥିବାରୁ ଏହିସବୁ ଜାଗାରେ ଗୋଟିଏ ଲେଖାଏଁ ଅତିରିକ୍ତ ବାଲଟ୍ ୟୁନିଟ୍ ଇଭିଏମ୍ ଲାଗିଛି । ସହରାଞ୍ଚଳରେ ଗୋଟିଏ ଲେଖାଏଁ ମହିଳାଙ୍କ ଦ୍ୱାରା ପରିଚାଳିତ ପିଙ୍କ ବୁଥ୍ ଏବଂ ଆଦର୍ଶ ବୁଥ ରହିବ । ପ୍ରତି ମହାନଗର ନିଗମରେ ୫ଟି ଲେଖାଏଁ ପିଙ୍କ୍ ଓ ମଡ଼େଲ ବୁଥ୍ ରହିବ । ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ପୋଷ୍ଟାଲ ବାଲଟ୍ ଜରିଆରେ ଭୋଟ ଦେବାର ସୁଯୋଗ ମିଳିବ ।