ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ; ମଇଦାନରେ ୨୬୧୫ ପ୍ରାର୍ଥୀ, ଭୋଟ୍ ଦେଉଛନ୍ତି ଜନତା

କର୍ଣ୍ଣାଟକ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ। ମତଦାନ କରୁଛନ୍ତି ୫ କୋଟି ୩୦ ଲକ୍ଷରୁ ଅଧିକ ଭୋଟର। ମଇଦାନରେ ଅଛନ୍ତି ୨୬୧୫ ପ୍ରାର୍ଥୀ । ନିର୍ବାଚନ ପାଇଁ ରାଜ୍ୟରେ ମୋଟ୍ ୫୮ ହଜାର ୫୪୫ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି।

ବିଧାନସଭା ନିର୍ବାଚନକୁ ମୁକ୍ତ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି। ରାଜ୍ୟ ପୋଲିସ ଫୋର୍ସ ସହିତ କେନ୍ଦ୍ରୀୟ ଫୋର୍ସଙ୍କୁ ବିଭିନ୍ନ ପୁଲିଂ ବୁଥରେ ମୁତୟନ କରାଯାଇଛି। କଂଗ୍ରେସ ଓ ବିଜେପି ମଧ୍ୟରେ ଏଥର ଘମାଘୋଟ ଲଢେଇ କର୍ଣ୍ଣାଟକ ନିର୍ବାଚନରେ ଦେଖିବାକୁ ମିଳିଛି। ସବୁ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିବା ବେଳେ କଂଗ୍ରେସ ନିଜର ପୁରୁଣାଗଡ଼ ହାତେଇବାକୁ ସବୁ ପ୍ରକାର ପ୍ରୟାସ କରିଛି ।

ସେପଟେ କୁମାରସ୍ବାମୀଙ୍କ ଜେଡିଏସ୍ ଏଥର ପୁଣିଥରେ କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚେଷ୍ଟା ଚଳାଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସେମି ଫାଇନାଲ୍ ସବୁ ଜାତୀୟ ଦଳଙ୍କ ପାଇଁ ଅଗ୍ନିପରୀକ୍ଷା ସାବ୍ୟସ୍ତ ହୋଇପାରେ ।