ଏଆଇସିସି ସଭାପତି ପଦ ପାଇଁ ଚାଲିଛି ଭୋଟିଂ, ଭାଗ୍ୟ ନିର୍ଦ୍ଧାରଣ କରିବେ ୯୩୦୦ ଡେଲିଗେଟ୍ସ

ନୂଆଦିଲ୍ଲୀ: ଏଆଇସିସି ସଭାପତି ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ପୁରା ଦେଶରେ ୩୬ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ୬୫ ବୁଥ କରାଯାଇଛି । ଗୋଟିଏ ବୁଥରେ ୨ଶହ ସଦସ୍ୟ ଭୋଟ ଦେବେ । ସିକ୍ରେଟ ବାଲଟରେ ଭୋଟ ହେଉଥିବା ଭୋଟରେ ଭାଗନେବେ ପ୍ରାୟ 9 ହଜାର ପିସିସି ସଦସ୍ୟ । ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭୋଟ ଦେଇଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଜୟରାମ ରମେଶ ପ୍ରମୁଖ ଦିଲ୍ଲୀରେ ମତଦାନ କରିଛନ୍ତି । ସେହିପରି ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ କର୍ଣ୍ଣାଟକର ବେଲାରୀ ଅନ୍ତର୍ଗତ ସାଙ୍ଗନକାଲୁରେ ଭୋଟ ଦେବେ । ଦଳର ବରିଷ୍ଠ ନେତା ଦିଗବିଜୟ ସିଂ, ମନୀଷ ତିଓ୍ବାରୀ, ଅଶୋକ ଗେହଲଟ, ଏ.କେ. ଆଣ୍ଟୋନୀ, ଅଜୟ ମାକେନ, ଅମ୍ବିକା ସୋନି, ଭୂପିନ୍ଦର ସିଂ ହୁଦା , ପୃଥ୍ବୀରାଜ ଚୌହ୍ବାନ ପ୍ରମୁଖ ମଲ୍ଲିକାର୍ଜ୍ଜୁନ ଖାଡଗେଙ୍କୁ ସମର୍ଥନ କରିସାରିଛନ୍ତି ।

ତେଣେ ଥିଙ୍କ ଟୁମରୋ ଥିଙ୍କ ଥରୁର ସ୍ଲୋଗାନକୁ ଆଧାର କରିଛନ୍ତି ଶଶୀ । ଥରୁରଙ୍କ ସମର୍ଥନ କରୁଛନ୍ତି ଶିବଗଙ୍ଗା ଏମପି କାର୍ତ୍ତି ଚିଦାମ୍ବରମ । ଦଳର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ପ୍ରାର୍ଥୀଙ୍କ ନାମ ଉପରେ ଭୋଟରମାନେ ଏକ ଟିକ୍ ଚିହ୍ନ ମାରିବେ ।

ଆଜି ଭୋଟିଂ ଶେଷ ହେବା ପରେ ଆସନ୍ତାକାଲି ସମସ୍ତ ବାଲଟ ବକ୍ସ ଦିଲ୍ଲୀକୁ ନିଆଯାଇ ସେଠାରେ 19 ତାରିଖରେ ଗଣତି କରାଯିବ । ପ୍ରଥମ ଥର ଲାଗି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର କ୍ୟୁଆର କୋଡ ଥିବା ଆଇଡି କାର୍ଡ ପ୍ରତିନିଧିଙ୍କୁ ଦିଆଯାଇଛି ।

ଉଦୟପୁର ଘୋଷଣାନାମାକୁ ଖାଡଗେ ନିର୍ବାଚନ ପ୍ରସଙ୍ଗ କରିଥିବାବେଳେ ଯଦି ସେ ସଭାପତି ହୁଅନ୍ତି ତେବେ ଦଳର 50 ଭାଗ ପଦବୀରେ 50 ବର୍ଷରୁ କମ୍ ବୟସ୍କ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କୃଷକ, ଶ୍ରମିକ, ଏସସି, ଏସଟି,ସଂଖ୍ୟାଲଘୁ, ବ୍ୟବସାୟୀଙ୍କ ସ୍ବାର୍ଥ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ବି କହିସାରିଛନ୍ତି 80 ବର୍ଷ ବୟସ୍କ ଖାଡଗେ ।

ଦଳର 137 ବର୍ଷ ଇତିହାସରେ ଷଷ୍ଠ ଥର ଲାଗି ଏହି ପ୍ରତିଦ୍ବନ୍ଦ୍ବିତା ହେଉଛି । ତାଙ୍କ ମତରେ ଖାଡଗେ କୌଣସି ପରିବର୍ତ୍ତନ ଆଣିପାରିବେ ନାହିଁ ଏବଂ ବର୍ତ୍ତମାନ ଚାଲିଥିବା ବ୍ୟବସ୍ଥାକୁ ଖାଡଗେ ଜାରି ରଖିବେ । ଏହା ସହ ପିସିସି ସଭାପତିମାନଙ୍କୁ ପ୍ରକୃତ କ୍ଷମତା ଦେବା ସପକ୍ଷରେ ଅଛନ୍ତି ଶଶୀ ।