ବଦଳିଲା ନିର୍ବାଚନ ଆଚରଣ ଅଧିନିୟମ : ସାଧାରଣ ଲୋକ କିମ୍ବା ପ୍ରାର୍ଥୀଙ୍କୁ ମିଳିବନି ମତଦାନ କେନ୍ଦ୍ରର ଫୁଟେଜ୍

1 min read

ନୂଆଦିଲ୍ଲୀ :  ବଦଳିଲା ନିର୍ବାଚନ ଆଚରଣ ଅଧିନିୟମ । ଗଣତନ୍ତ୍ର ପ୍ରତି ବଡ଼ ଚାଲେଞ୍ଜ। ଆଉ ସାଧାରଣ ଲୋକ କିମ୍ବା ପ୍ରାର୍ଥୀଙ୍କୁ ମିଳିବନି ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜ୍ କି ଅନ୍ୟ ତଥ୍ୟ । ଯେ ପର୍ଯ୍ୟନ୍ତ କମ୍ପିଟେଣ୍ଟ୍ କୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି ଭାରତୀୟ ନିର୍ବାଚନ କମିଶନ ଏହି ତଥ୍ୟ କାହାରିକୁ ଉପଲବ୍ଧ କରିବେନାହିଁ । ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଗତ ଶୁକ୍ରବାର ୧୯୬୧ ନିର୍ବାଚନ ଆଚରଣ ବିଧି ଅଧିନିୟମ ଧାରା ୯୩ ଉପଧାରା ୨ କ୍ଲଜ୍ କ’ରେ କରିଛି ସଂଶୋଧନ । ଏ ନେଇ ଫାଳିକିଆ ଗେଜେଟ୍ ବିଜ୍ଞପ୍ତି ପରେ ବିରୋଧୀ ଆଖି ଲାଲ କଲେଣି । ଅଭିଯୋଗ କରିଛନ୍ତି, ଭାରତର ନିର୍ବାଚନ ପ୍ରକ୍ରିୟାକୁ ହାଇଜାକ୍ କରୁଛି ବିଜେପି । କିପରି ହେବ ସ୍ବଚ୍ଛ ନିର୍ବାଚନ ? ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏକ ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଥିଲା ମତଦାନ କେନ୍ଦ୍ର ସମସ୍ତ ଭୋଟର ତାଲିକା ଓ ବୈଦ୍ୟୁତିକ ପ୍ରମାଣ ଦେବାକୁ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ କରି ବିଜେପିକୁ ସୁହାଇଲା ଭଳି ଅଧିନିୟମ ପରିବର୍ତ୍ତନ କରାଗଲା । ଯଦି ନିୟମ ରହିଛି କମ୍ପିଟେଣ୍ଟ୍ କୋର୍ଟଙ୍କ ନିର୍ଦ୍ଦେଶରେ ମତଦାନ କେନ୍ଦ୍ରର ସମସ୍ତ ତଥ୍ୟ ଦିଆଯାଇପାରିବ, ତାହେଲେ ପଞ୍ଜାବ-ହରିୟାଣା କୋର୍ଟ କଣ କମ୍ପିଟେଣ୍ଟ୍ କୋର୍ଟ ନୁହଁନ୍ତି କି? ଏହି ପ୍ରସଙ୍ଗରେ ଏପରି କହିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ରାଷ୍ଟ୍ରୀୟ ମୁଖପାତ୍ର ଜୟରାମ ରମେଶଙ୍କ ସମେତ କଂଗ୍ରେସର ତୁଙ୍ଗ ନେତା ସୋସିଆଲ ମିଡିଆରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି । ଏପରି କରିବା ଦ୍ବାରା ନିର୍ବାଚନ ପ୍ରକ୍ରିୟା ଉପରେ ବିଶ୍ବାସ ଉଠିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପଟେ ବାମଦଳ, ଆମ ଆଦମୀ ପାର୍ଟି ଓ ବିଶେଷଜ୍ଞ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଭାରତର ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି । ଆପ୍ ଅଭିଯୋଗ କରିଛି ଆଗକୁ ଦିଲ୍ଲୀ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ନିଜକୁ ସୁହାଇଲା ଭଳି ଏପରି କରିଛନ୍ତି । ବିରୋଧୀ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ଯେତେ ଯାହା କହିଲେ ବି ଅଧିନିୟମ ସଂଶୋଧନ ଆବଶ୍ୟକ ଥିଲା ବୋଲି ଯୁକ୍ତି ଦର୍ଶାଇଛନ୍ତି ନିର୍ବାଚନ କମିଶନଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା । କହିଛନ୍ତି, ରାଜନୈତିକ ଦଳମାନେ ନିର୍ବାଚନ ଅଧିନିୟମକୁ ଭଲ କରି ଅଧ୍ଯୟନ କରିବା ଆବଶ୍ୟକ ରହିଛି । ଭୋଟରଙ୍କ ଜୀବନକୁ ସୁରକ୍ଷା ଦେବା ମଧ୍ୟ ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଦାୟିତ୍ବ । ଜମ୍ମୁ ଓ କଶ୍ମୀର ଓ ନକ୍ସଲ ପ୍ରବଣ ଭଳି ସମ୍ବେଦନଶୀଳ ଅଞ୍ଚଳରେ ନିର୍ବାଚନ କରିବା ଦୁରୂହ ବ୍ୟାପାର । ମତଦାନ କେନ୍ଦ୍ର ତଥ୍ୟ ସାଧାରଣରେ ଉପଲବ୍ଧ ହେଲେ ସମ୍ବେଦନଶୀଳ ଅଞ୍ଚଳରେ ଭୋଟରଙ୍କ ଜୀବନ ବିପଦରେ ପଡ଼ିପାରେ । ଏହି ପ୍ରସଙ୍ଗରେ ରାଜ୍ୟ ଆଇନ ମନ୍ତ୍ରୀ ମୁହଁ ଖୋଲିବାକୁ ନାରାଜ । ନିର୍ବାଚନରେ ସ୍ବଚ୍ଛତା ଓ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ନିର୍ବାଚନ ଆଚରଣ ଅଧିନିୟମରେ ପରିବର୍ତ୍ତନ କରାଯାଇଛି । କିନ୍ତୁ ଭାରତୀୟ ଗଣତନ୍ତ୍ରରେ ଜନତା ଓ ପ୍ରାର୍ଥୀଙ୍କ ଅଧିକାରକୁ ଏହା ବାଧିତ କରୁଛି କି ନାହିଁ ତାକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି ।