spot_img

Latest Posts

ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀଙ୍କ ପଦଯାତ୍ରା ; ଉଠାଇନେଲା ପୋଲିସ୍

ନୂଆଦିଲ୍ଲୀ : ଭୋଟ ଚୋରି ପ୍ରସଙ୍ଗକୁ ନେଇ ସାରା ଦେଶରେ ରାଜନୈତିକ ତାତି  । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଆଜି ବିରୋଧୀ ଦଳର ସାଂସଦମାନେ ସଂସଦର ମକର ଦ୍ୱାରରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରୁଥିଲେ । ତେବେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ସାଂସଦଙ୍କୁ ଉଠାଇ ନେଇଛି ପୋଲିସ। ସଂସଦରୁ ନିର୍ବାଚନ କମିଶନଙ୍କ ଅଫିସକୁ ଶୋଭାଯାତ୍ରାରେ ଯିବା ବେଳେ ସେମାନଙ୍କୁ ଉଠାଇ ନେଲା। ଶତାଧିକ ସାଂସଦ ଶୋଭାଯାତ୍ରାରେ ଯାଉଥିବା ବେଳେ ପରିବହନ ଭବନ ନିକଟରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକାଇଥିଲା। ଏହି ସମୟରେ ସୃଷ୍ଟି ହୋଇଥିଲା ଧସ୍ତାଧସ୍ତି ପରିସ୍ଥିତି। ଏପରିକି ପୋଲିସର ବ୍ୟାରିକେଡ୍ ଡେଇଁବାକୁ କେତେକ ସାଂସଦ ଚେଷ୍ଟା କରିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। କିଛି ସମୟ ଭିତରେ ପୋଲିସ ବିରୋଧୀ ସାଂସଦଙ୍କୁ ଉଠାଇ ନେଇଥିଲା।

ନିର୍ବାଚନ କମିଶନ ବାହାରେ ଦିଲ୍ଲୀ ପୋଲିସ ସହିତ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି। ବ୍ୟାରିକେଡ୍ କରି ପଦଯାତ୍ରାକୁ ଅଟକାଯାଇଥିଲା। ଅନେକ ସାଂସଦ ବ୍ୟାରିକେଡ୍ ଉପରକୁ ଚଢ଼ି ଡେଇଁ ପଡ଼ିଥିଲେ। ଅଖିଳେଶ ଯାଦବ ବ୍ୟାରିକେଡ୍ ଉପରୁ ଡେଇଁ ପଡ଼ିଥିଲେ। ଟିଏମସି ସାଂସଦ ସାଗରିକା ଘୋଷ ଏବଂ ମହୁଆ ମୋଇତ୍ର ବ୍ୟାରିକେଡ୍ ଉପରକୁ ଚଢ଼ିଥିଲେ। ପରେ ଅଖିଳେଶ ଯାଦବ ଧାରଣାରେ ବସିଥିଲେ।

ରାହୁଲ ଗାନ୍ଧୀ କହିଛନ୍ତି, ‘ସତ କଥା ହେଉଛି ସେମାନେ କିଛି କହିପାରିବେ ନାହିଁ। ସତ ସାମ୍ନାକୁ ଆସୁ। ଦେଶରେ ସମସ୍ତଙ୍କ ଗୋଟିଏ ଲେଖାଏଁ ଭୋଟର କାର୍ଡ ରହୁ। ଯୋଗ୍ୟ ଲୋକଙ୍କୁ ବାଦ୍ ଦିଆନଯାଉ। ଏହି ଲଢ଼େଇ ରାଜନୈତିକ ନୁହେଁ। ଏହା ସମ୍ବିଧାନକୁ ବଞ୍ଚାଇବାର ଲଢ଼େଇ। ଏହି ଲଢ଼େଇ ଗୋଟିଏ ବ୍ୟକ୍ତି, ଗୋଟିଏ ଭୋଟରର। ଆମେ ଏକ ସ୍ୱଚ୍ଛ ଭୋଟର ତାଲିକା ଚାହୁଁଛୁ।’ ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଏହି ଲୋକମାନେ ଭୟଭୀତ । ସରକାର କାପୁରୁଷ। ‘

ଜୟରାମ ରମେଶ କହିଛନ୍ତି ଯେ କେବଳ ୩୦ ଜଣ ନୁହେଁ ବରଂ ସମଗ୍ର ବିରୋଧୀ ନିର୍ବାଚନ କମିଶନଙ୍କ ପାଖକୁ ଯିବେ। ଏହା ଉପରେ ଅଖିଳେଶ କହିଛନ୍ତି ଯେ ଯାହାକୁ ଯିବାକୁ ଅନୁମତି ଦିଆଯାଇଛି ଆମେ ତାଙ୍କ ପାଖକୁ ଯିବାକୁ ପ୍ରସ୍ତୁତ। ଯଦି ପୋଲିସ ଆମକୁ ଯିବାକୁ ଅନୁମତି ଦିଏ, ତେବେ ଆମେ ନିର୍ବାଚନ କମିଶନଙ୍କ ପାଖକୁ ଯିବାକୁ ପ୍ରସ୍ତୁତ। ପୋଲିସ ଆମକୁ ଯିବାକୁ ଦେଉନାହିଁ। ପୋଲିସ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ସାଂସଦଙ୍କୁ ଅଟକ ରଖିଛି। ସମସ୍ତଙ୍କୁ ଏକ ବସରେ ନିଆଯାଇଛି।

ଆଜି ସକାଳେ ନିର୍ବାଚନ କମିଶନ ଏକ ୩୦ ଜଣିଆ ବିରୋଧୀ ପ୍ରତିନିଧି ଦଳକୁ ବୈଠକ ପାଇଁ ଡକାଇଥିଲେ। ନିର୍ବାଚନ କମିଶନ ଦିନ ୧୨ଟାରେ ୩୦ ଜଣଙ୍କୁ ଭେଟିବା ପାଇଁ ଡକାଇଥିଲେ। ଭାରତୀୟ ନିର୍ବାଚନ କମିଶନ ସଚିବାଳୟ କଂଗ୍ରେସ ସାଂସଦ ଜୟରାମ ରମେଶଙ୍କୁ ଚିଠି ଲେଖି ଦିନ ୧୨ଟାରେ ଆଲୋଚନା ପାଇଁ ସମୟ ଦେଇଥିଲେ। କିନ୍ତୁ ଏହାକୁ ବିରୋଧୀ ଦଳ ବିରୋଧ କରିଥିବା ବେଳେ କହିଛନ୍ତି ଯେ ସମସ୍ତେ ନିର୍ବାଚନ କମିଶନଙ୍କ ପାଖକୁ ଯିବେ ନଚେତ୍ କେହି ଯିବେ ନାହିଁ। ଆମେ ପ୍ରତିନିଧିମଣ୍ଡଳକୁ ଭେଟିବା ପାଇଁ ନୁହେଁ ଏକାଠି ଏକ ସ୍ମାରକପତ୍ର ଦାଖଲ କରିବା ପାଇଁ ସମୟ ମାଗିଥିଲୁ।

ଭୋଟର ତାଲିକାରେ ଅନିୟମିତତାକୁ ନେଇ ଲଢ଼େଇ ଜାରି ରହିଛି। ରାହୁଲଙ୍କ ସମେତ ସମସ୍ତ ବିରୋଧୀ ନେତା ନିର୍ବାଚନ କମିଶନକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ରାହୁଲ ସିଧାସଳଖ ନିର୍ବାଚନ କମିଶନଙ୍କ ଉପରେ ଭୋଟ ଚୋରିର ଅଭିଯୋଗ ଆଣିଛନ୍ତି। ସେ ଗତକାଲି ଏହି ସମ୍ପର୍କରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ଏହା ଅଧୀନରେ, ରାହୁଲ ଏକ ୱେବସାଇଟ୍ ମଧ୍ୟ ଲଞ୍ଚ କରିଛନ୍ତି। ଏହା ସହିତ, ସେ ଲୋକମାନଙ୍କୁ ଏହି ଅଭିଯାନରେ ଯୋଗଦେବା ପାଇଁ ମଧ୍ୟ ନିବେଦନ କରିଛନ୍ତି ।

Latest Posts

Don't Miss