ଆଧାର ସହ ଯୋଡି ହେବ ଭୋଟର ଆଇଡି; କ୍ୟାବିନେଟରେ ବାଜିଲା ମୋହର

1 min read

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା ଉପରେ ସୁଧାର ଆଣିବାକୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ମିଟିଂରେ ନିର୍ବାଚନରେ ସୁଧାର ଆଣିବା ପାଇଁ ଏକ ବିଲକୁ ଅନୁମୋଦନ ଦିଆଯାଇଛି । ବିଲ୍ ଅନୁଯାୟୀ, ଆଗାମୀ ସମୟରେ ଭୋଟର ଆଇଡି କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗ କରାଯିବ । ନିର୍ବାଚନ ଆୟୋଗର ସୁପାରିଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଧାରକୁ ଭୋଟର ID ସହିତ ଲିଙ୍କ୍ କରିବା ଦ୍ୱାରା ନକଲି ଭୋଟର ବା ଜାଲିଆତି କରି ଗୋଟିଏ ନାଁରେ ଦୁଇଟି ଜାଗାରେ ଭୋଟ ଦେଇ ହେବନାହିଁ ।

ସେହିପରି ପୂର୍ବରୁ ୧୮ ବର୍ଷରେ ପାଦ ଦେଉଥିବା ନୂଆ ଭୋଟରଙ୍କ ପାଇଁ ବର୍ଷକରେ ଥରେ ପଞ୍ଜୀକରଣର ସୁଯୋଗ ମିଳୁଥିଲା । ନୂଆ ବ୍ୟବସ୍ଥାରେ ବର୍ଷକୁ ୪ ଥର ନୂଆ ଭୋଟର ପଞ୍ଜୀକରଣ କରିପାରିବେ । କ୍ୟାବିନେଟ ଅନୁମୋଦନ ପରେ ଜନପ୍ରତିନିଧି ଆଇନ ୧୯୫୧ ଏବଂ ଆଧାର ଆଇନ ୨୦୧୬ ସଂଶୋଧନ ପାଇଁ ସଂସଦର ଚଳିତ ଅଧିବେଶନରେ ବିଲ୍ ଆସିବ । ତେବେ ଆଧାର କାର୍ଡ-ଭୋଟର ପରିଚୟପତ୍ର ଲିଙ୍କକୁ ବାଧ୍ୟତାମୂଳକ କରାଯାଇନାହିଁ । ଆଧାର ଏବଂ ଭୋଟର ପରିଚୟ ସଂଯୋଗ ମାମଲାରେ ସୁପ୍ରିମକୋର୍ଟଙ୍କ ଗୋପନୀୟତା ନିଷ୍ପତ୍ତିର ଅଧିକାରକୁ ବିଚାରକୁ ନିଆଯିବ। ନିର୍ବାଚନ ଆୟୋଗକୁ ଅଧିକ କ୍ଷମତା ଦେବା ପାଇଁ ସରକାର ଏହି ପଦକ୍ଷେପ ନେବେ।

Leave a Reply