କିଭ୍: ଋଷ ଆକ୍ରମଣରେ ଛାରଖାର ହେଉଛି ୟୁକ୍ରେନ । ରାଜଧାନୀ କିଭ୍ ସମେତ ବଡ଼ ବଡ଼ ସହର ଉପରେ ଜାରି ରହିଛି ଋଷର ଘନ ଘନ ଆକ୍ରମଣ । ଯାହାର ଚିତ୍ର ଅତି ଭୟଙ୍କର ଓ ହୃଦୟ ଥରାଇ ଦେବା ଭଳି । ଋଷ ସେନା କେବଳ ୟୁକ୍ରେନର ଆର୍ମୀ ବେସ ଉପରେ ଆକ୍ରମଣ କରୁନାହିଁ । ଜନବସତି ଉପରେ ମଧ୍ୟ ପଡୁଛି ଋଷ ମିଜାଇଲ । ଯାଉଛି ଶହ ଶହ ନିରିହ ୟୁକ୍ରେନ ନାଗରିକଙ୍କ ଜୀବନ । ଏମିତି କି ବହୁ ଶିଶୁଙ୍କର ମଧ୍ୟ ଜୀବନ ନେଇ ସାରିଲାଣି ଏହି ଯୁଦ୍ଧ । ଆଉ କିଛି ଶିଶୁ ଜୀବନ ସହ ସଂଗ୍ରାମ କରୁଛନ୍ତି । ଋଷ ସେନା ୟୁକ୍ରେନର ଯେଉଁ ଅଞ୍ଚଳରେ ପ୍ରବେଶ କରୁଛନ୍ତି ସେଠାରେ ଶିଶୁଙ୍କୁ ଅତି ଅମାନବୀୟ ଭାବେ ହତ୍ୟା କରୁଛନ୍ତି । ଇନଷ୍ଟାଗ୍ରାମରେ ଏମିତି ଏକ ଭାବପ୍ରବଣ ପୋଷ୍ଟ କରି କହିଛନ୍ତି ୟୁକ୍ରେନର ଫାଷ୍ଟ ଲେଡି ତଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କି । ଋଷୀୟ ମହିଳାଙ୍କ ପାଇଁ ସେ ଏହି ପୋଷ୍ଟ କରି କହିଛନ୍ତି, ‘ମାଆମାନେ ଦେଖନ୍ତୁ ସେମାନଙ୍କ ପିଲା ୟୁକ୍ରେନରେ କ’ଣ କରୁଛନ୍ତି ?’

ସେ କହିଛନ୍ତି ମାରିୟୋପୋଲରେ ଋଷ ସେନାର ଗୁଳିମାଡ଼ରେ ଏକ ୧୮ ମାସର ପିଲାର ମୃତ୍ୟୁ ଘଟିଛି । ପିଲାର ମାଆବାପା ତାକୁ ତୁରନ୍ତ ହସ୍ପିଟାଲକୁ ଆଣିଥିଲେ । ହେଲେ ଶତଚେଷ୍ଟା ପରେ ବି ଡାକ୍ତର ପିଲାର ଜୀବନ ବଞ୍ଚାଇ ପାରିନଥିଲେ ।

ଓର୍ଖିକାର ୮ ବର୍ଷିୟ ଏଲିସା ଏବଂ ତାଙ୍କ ଜେଜେଙ୍କର ଗୁଳିମାଡ଼ରେ ମୃତ୍ୟୁ ଘଟିଛି । କିଭର ପୋଲିନା ମାଆବାପା ଓ ଭାଇ ସହ ରାସ୍ତାରେ ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛି ।

ଏକ ମିଜାଇଲ ଫାଟିବା ପରେ ଏହାର ଏକ ଟୁକୁରା ୧୪ ବର୍ଷର ଆର୍ସିନୀ ମୁଣ୍ଡରେ ବାଜିଥିଲା । ହେଲେ ଯୁଦ୍ଧ ଲାଗି ରହିଥିବାରୁ ପିଲାଟିକୁ ତୁରନ୍ତ ଚିକିତ୍ସା ସୁବିଧା ମିଳିପାରିଲାନାହିଁ ଓ ତା’ର ମୃତ୍ୟୁ ହୋଇଗଲା ।

ନଭା କଖୋଭକା ଛାଡି ପଳାଉଥିବା ୬ ବର୍ଷର ସୋଫିଆ ସମେତ ତା’ ଦେଢ଼ ମାସର ଭାଇ, ମାଆ, ଜେଜେ, ଜେଜେମାଆଙ୍କୁ ଗୁଳି ମାରି ଋଷ ସେନା ହତ୍ୟା କରିଦେଲେ ।

ଓଲେନା ଆଗକୁ ଆହୁରି ଲେଖିଛନ୍ତି, ‘ଋଷ ସେନାର ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୩୮ ୟୁକ୍ରେନ ପିଲାଙ୍କ ମୃତ୍ୟୁ ଘଟିସାରିଛି ।’

ଋଷରେ ବସି ଯେଉଁମାନେ କହୁଛନ୍ତି ତାଙ୍କ ସେନା ୟୁକ୍ରେନରେ ସାଧାରଣ ଲୋକଙ୍କୁ କୌଣସି କ୍ଷତି ପହଞ୍ଚାଉ ନାହାନ୍ତି, ସେମାନେ ଏହି ଫଟୋ ଦେଖିବା ଦରକାର ।

ଶେଷରେ ନାଟୋ ଦେଶଙ୍କ ଉଦ୍ଦେଶ୍ୟରେ ଓଲେନା ଲେଖିଛନ୍ତି, ‘ୟୁକ୍ରେନକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଉ ଓ ଆମ ପିଲାଙ୍କୁ ବଞ୍ଚାଯାଉ । ଏହି ପିଲା ବଡ଼ ହୋଇ ଭବିଷ୍ୟତରେ ଆପଣଙ୍କୁ ରକ୍ଷା କରିବେ ।’