ପାକିସ୍ତାନରେ ପୁଣି ହିଂସା; ୩ ପୋଲିସ ମୃତ

ଲାହୋର: ପାକିସ୍ତାନରେ ପୁଣି ହିଂସା । ଗତକାଲି ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ସମର୍ଥକ ଓ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି । ଟିଏଲପି ମୁଖ୍ୟ ସାଦ୍ ରିଜଭିଙ୍କୁ ମୁକ୍ତି ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ବହିସ୍କାର ଦାବିରେ ସୃଷ୍ଟି ହୋଇଛି ଏହି ହିଂସା । ଇମ୍ରାନ ସରକାରଙ୍କ ସହ ଟିଏଲପି ସମର୍ଥକଙ୍କ ଆଲୋଚନା ବିଫଳ ହେବା ପରେ ଏହି ହିଂସା ସୃଷ୍ଟି ହୋଇଛି । ଏହି ହିଂସା ଫଳରେ ତିନି ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଜଣ ଆହାତ ହୋଇଛନ୍ତି । ପାକିସ୍ତାନ ସରକାରଙ୍କ ସହ ଆଲୋଚନାରେ ବିଫଳ ହେବା ପରେ ଟିଏଲପି ସମର୍ଥକମାନେ ଇସଲାମାବାଦ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କ ଅଟକାଇବା ସମୟରେ ହଁ ଆରମ୍ଭ ହୋଇଥିଲା ସଂଘର୍ଷ । କୁହାଯାଉଛି କି ଏବେ ବି ୮ ହଜାରରୁ ୧୫ ହଜାର ଟିଏଲପି ସମର୍ଥକ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି ।

ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ୍ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଟିଏଲପି ଏବେ ଉଗ୍ର ରୂପ ଧାରଣ କରିଛି । ସେ ଆହୁରି କହିଛନ୍ତି କି ଟିଏଲପି ସମର୍ଥକମାନେ ପୋଲିସ ଉପରକୁ ଗୁଳି ମାରିଥିଲା । ଯାହାଫଳରେ  ୩ ଜଣ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହାତ ହୋଇଛନ୍ତି । ସେଥିମଧ୍ୟରୁ ୮ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପୂର୍ଣ୍ଣ ରହିଛି । ତେବେ ଏହି ସ୍ଥିତିକୁ ଆୟତ୍ତ କରିବା ପାଇଁ ଆଗାମୀ ୬୦ ଦିନ ପାଇଁ ପଞ୍ଜାବ ପ୍ରଦେଶରେ ରେଞ୍ଜର ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି ।

ଗତବର୍ଷ ନଭେମ୍ବରରେ ଫ୍ରାନ୍ସର ରାଷ୍ଟ୍ରପତି  ଇମାନୁଏଲ୍‌ ମାକ୍ରନ୍ ମହମ୍ମଦଙ୍କ ଭାବମୂର୍ତ୍ତିର ଏକ କାର୍ଟୁନ୍ ଉପସ୍ଥାପନା କରି ଏହାକୁ ଅଭିବ୍ୟକ୍ତିର ସ୍ବାଧିନତା ବୋଲି କହିଥିଲେ । ସେବେଠାରୁ ପାକିସ୍ତାନରୁ ଫ୍ରାନ୍ସରେ ଥିବା ରାଷ୍ଟ୍ରଦୂତଙ୍କୁ ହଟାଇବାକୁ ଟିଏଲପି ଦାବି କରିଆସୁଛି । ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଏହି ସମାନ ଦାବି ଉପରେ ହିଂସା ସୃଷ୍ଟି ହୋଇଥିଲା । ଯାହାପରେ ଟିଏଲପି ମୁଖ୍ୟ ସାଦ୍ ରିଜଭିଙ୍କୁ ପୋଲିସ୍ ଗିରଫ କରିଥିଲା । ଏହି ଦୁଇଟି ଦାବି ସମ୍ପର୍କରେ ଟିଏଲପି ଏବଂ ଇମ୍ରାନ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ସୁଫଳ ମିଳିନଥିଲା । ଯାହାଫଳରେ ଗତ ରବିବାର ଟିଏଲପି ତାଙ୍କ ଦାବି ପୂରଣ ପାଇଁ ସରକାରଙ୍କୁ ଦୁଇ ଦିନ ସମୟ ଦେଇଥିଲା । କିନ୍ତୁ ଏହି ଦୁଇ ଦିନ ମଧ୍ୟରେ ସରକାର ଦାବି ନଶୁଣିବାରୁ ବୁଧବାର ଟିଏଲପି ସମର୍ଥକ ଇସଲାମାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯେଉଁ କାରଣରୁ ଅନେକ ସ୍ଥାନରେ ପୋଲିସ ଓ ଟିଏଲପି ସମର୍ଥକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ସୃଷ୍ଟି ହୋଇଥିଲା ।

Leave a Reply