ଭାରତରେ ବ୍ୟାନ ହେଲା ଭିଏଲସି ମିଡିଆ ପ୍ଲେୟାର

1 min read

ନୂଆଦିଲ୍ଲୀ: ଭାରତରେ ନିଷିଦ୍ଧ ହେଲା ଭିଏଲସି ମିଡିଆ ପ୍ଲେୟାର । ଏନେଇ ସୂଚନା ଦେଇଛନ୍ତି ଭିଡିଓଲାନ୍ ଅଧ୍ୟକ୍ଷ । କେତେକ ଆଇଏସପି ଜରିଆରେ ଏହା ଚାଲିଥିଲେ ମଧ୍ୟ ଦେଶରେ ନିଷିଦ୍ଧ ହୋଇଛି । ଗତ ଫେବ୍ରୁଆରୀ ମାସରୁ VLC ବ୍ୟାନ ହୋଇସାରିଥିବା ସୂଚନା ଦେଇଛି ଭିଡିଓଲାନ । ତେବେ ପ୍ରଶ୍ନ ଉଠୁଛି କାହିଁକି ଭିଏଲସି ମିଡିଆ ପ୍ଲେୟାର ଓ୍ବେବସାଇଟ ଓ ଡାଉନଲୋଡ ଲିଙ୍କ୍ ବ୍ଲକ କରାଗଲା । ଭିଏଲସି ମିଡିଆ ପ୍ଲେୟାର ନିଷିଦ୍ଧ ହେବା ମୂଳରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନଥିଲେ ମଧ୍ୟ ସାଇବାର ଆଟାକ ଲାଗି ଚୀନଭିତ୍ତିକ ହ୍ୟାକିଂ ଗ୍ରୁପ ସିକାଡା ଏହାକୁ ବ୍ୟବହାର କରୁଥିବାରୁ ଭିଏଲସି ମିଡିଆ ପ୍ଲେୟାରକୁ ନିଷିଦ୍ଧ କରାଯାଇଛି । ସିକାଡା ଦ୍ୱାରା ଭିଏଲସି ମିଡିଆ ପ୍ଲେୟାରକୁ ବ୍ୟବହାର କରାଯାଉଛି ଏବଂ ଏହା ଦ୍ୱାରା ଟାର୍ଗେଟ ମେସିନ ନିକଟକୁ ମାଲିସିଅସ ବା କ୍ଷତିଗ୍ରସ୍ତକାରୀ ମେସେଜ ଆସୁଥିବା ସୂଚନା ମିଳିଛି । ଭାରତ ବିରୋଧରେ ଚାଲିଥିବା ବହୁ ସାଇବର ଆଟାକ୍ ଘଟଣାରେ ସିକାଡା ନିୟୋଜିତ ରହିଛି ବୋଲି ସିକ୍ୟୁରିଟି ଏକ୍ସପର୍ଟମାନେ ସୂଚନା ପାଇଥିଲେ ।

ସେପଟେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ ହେବା ନେଇ ଭାରତ ସରକାରଙ୍କ ପକ୍ଷରୁ କିଛି ତଥ୍ୟ ଦିଆଯାଇନାହିଁ । IT ଆକ୍ଟ ୨୦୦୦ ଅନୁସାରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ୱାରା ଭିଏଲସି ମିଡିଆ ପ୍ଲେୟାର ଓ୍ବେବସାଇଟକୁ ଗତ ଫେବ୍ରୁଆରୀରେ ବ୍ଲକ୍ କରିଥିବା ସୂଚନା ମିଳିଛି । ଭାରତର ସବୁଠାରୁ ଲୋକପ୍ରିୟ ମିଡିଆ ପ୍ଲେୟାର ଭାବେ ଭିଏଲସି ଖ୍ୟାତି ଲାଭ କରିଥିଲା । ତେବେ ବ୍ୟାନ ହେବା ପରେ ଭିଏଲସିକୁ ଏବେ ଡାଉନଲୋଡ କରାଯାଇପାରୁନାହିଁ । ତେବେ ବ୍ୟାନ ସତ୍ତ୍ୱେ ଭିଏଲସି ମିଡିଆ ପ୍ଲେୟାର ଗୁଗୁଲ ପ୍ଲେ ଷ୍ଟୋରରେ ଏବେ ବି ଉପଲବ୍ଧ ରହିଛି ।