ବିକାଶ ଓ ରୂପାନ୍ତରଣ ମିଶନର ମଣିଷ କାର୍ତ୍ତିକ ପାଣ୍ଡିଆନ

1 min read

ଭୁବନେଶ୍ବର: କାର୍ତ୍ତିକ ପାଣ୍ଡିଆନ୍ । କୁହାଯାଏ ସେ ହେଉଛନ୍ତି ମେନ୍ ଉଇଥ୍ ଏ ମିଶନ୍ । ଓଡ଼ିଶାର ବିକାଶ ଓ ରୂପାନ୍ତରଣର ପ୍ରଚେଷ୍ଟାରେ ସତତ ତତ୍ପର ଏହି ମଣିଷ । ୨୦୦୦ ମସିହାରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ କାର୍ତ୍ତିକ ପାଣ୍ଡିଆନ୍ । ଓଡ଼ିଶା କ୍ୟାଡରରେ ମିଳିବା ପରେ ୨୦୦୨ ମସିହାରେ କଳାକାଣ୍ଡିର ଧର୍ମଗଡ଼ରେ ମିଳିଥିଲା ପ୍ରଥମ ନିଯୁକ୍ତି । ଉପଜିଲ୍ଲାପାଳ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏଠାକାର ଲୋକଙ୍କର ସାମାଜିକ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାର ପ୍ରଚେଷ୍ଟା ତାଙ୍କୁ ସବୁଦିନ ପରିଚିତ କରାଇଛି ଏଠାକାର ଲୋକଙ୍କ ସହ ।

ଧର୍ମଗଡ଼ ଅଞ୍ଚଳରେ ଚାଷୀଙ୍କ ଅଧିକାର ପାଇଁ କାମ କରିଥିଲେ ଭି.କେ ପାଣ୍ଡିଆନ । ମିଲର ରାଜକୁ ଦମନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ପଦକ୍ଷେପ ନେଇଥିଲେ। MSP ଦରରେ ଚାଷୀଙ୍କୁ ସଂପୂର୍ଣ୍ଣ ପାଉଣା ପ୍ରଦାନ ଏବଂ ସୋସାଇଟିକୁ ଅର୍ଥ ପଇଠ ଦିଗରେ ସେ କାମ କରିଥିଲେ । ଏହାପରେ ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ୭ ମାସ କାର୍ଯ୍ୟ କରିଛନ୍ତି । ଏହି ସମୟରେ ଛେଣ୍ଡ ମାର୍କେଟ ଉଚ୍ଛେଦ ଏବଂ ୧୫ ବର୍ଷ ପରେ ଲୋକମାନେ ଟଙ୍କା ଫେରିପାଇବାର ସେ ଥିଲେ ମୁଖ୍ୟ କାରଣ ।

୨୦୦୫ରେ ଦେଶର ସର୍ବକନିଷ୍ଠ ଅଫିସର ଭାବେ ରାଜ୍ୟର ସର୍ବବୃହତ ଜିଲ୍ଲା ମୟୁରଭଞ୍ଜର ଜିଲ୍ଲାପାଳ ହୋଇଥିଲେ କାର୍ତ୍ତିକ ପାଣ୍ଡିଆନ୍ । ଲୋକକଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ସେ ମୟୂରଭଞ୍ଜ ଜିଲ୍ଲାପାଳ ଥିବାବେଳେ କରି ଦେଖାଇଛନ୍ତି । ୨ ବର୍ଷର କାର୍ଯ୍ୟକାଳରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ସମୟରେ ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ସେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ସେ ଆରମ୍ଭ କରିଥିବା ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ମଡେଲ ହୋଇଛି ।

ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲକୁ ଆପଣାଇଛନ୍ତି । ୨୦୦୭ରେ ଗଞ୍ଜାମ ଜିଲ୍ଲାପାଳ ହେଲେ ପାଣ୍ଡିଆନ୍ । ପିଲାଙ୍କ ପ୍ରତି ଅଗାଢ଼ ଭଲପାଇବା ଏବଂ ଗରିବ ଦୁଃଖୀରଙ୍କିଙ୍କ ପ୍ରତି ତାଙ୍କର ସହାୟ ମନୋଭାବ ଦେଖିବାକୁ ମିଳିଥିଲା । ୨୦୦୭ରେ ଗଞ୍ଜାମର ଜିଲ୍ଲାପାଳ ଥିବା ବେଳେ ଏଡସ ଆକ୍ରାନ୍ତଙ୍କ ପାଇଁ ଗୋପାଳପୁରରେ ପ୍ରତିଷ୍ଠା କରିଥିଲେ ଶ୍ରଦ୍ଧା ସଂଜୀବନୀ । ଏଠାରେ ଅନାଥ ପିଲାଙ୍କର ଲାଳନ ପାଳନ ସହ ସେମାନଙ୍କର ସାମାଜିକ ସୁରକ୍ଷା ସୁନିଶ୍ଚିତ ହୋଇପାରିଥିଲା । ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ବହୁବାର ପାଣ୍ଡିଆନଙ୍କୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ବକ୍ତବ୍ୟ ରଖିବାକୁ ନିମନ୍ତ୍ରଣ କରାଯାଇଛି । ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ସେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ହେଲେନ କେଲର ପୁରସ୍କାର ମଧ୍ୟ ମିଳିଛି ।

୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ଥର ଜାତୀୟ ପୁରସ୍କାର ପାଇଛି  ଗଞ୍ଜାମ । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ସେ ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମଜୁରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ସେ ଆରମ୍ଭ କରିଥିଲେ । ୧୦୦ କୋଟି ଟଙ୍କା ସିଧାସଳଖ ଗରିବଙ୍କୁ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇ ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ ।

୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଜଣେ ଅଫିସରଙ୍କର ପ୍ରତିବଦ୍ଧତା, ନିଜର କାର୍ଯ୍ୟଶୈଳୀ ଓ ଓଡ଼ିଶା ବିକାଶରେ ତାଙ୍କର ଅବଦାନକୁ ଦେଖି ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ସଚିବ ପଦରେ ତାଙ୍କୁ ଅବସ୍ଥାପିତ କରିଥିଲେ । ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଚିନ୍ତାଧାରାକୁ ବାସ୍ତବ ରୂପ ଦେଇ ଆସୁଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ୨୦୧୯ରେ ସେ 5T ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ କାର୍ତ୍ତିକ ପାଣ୍ଡିଆନ ।