ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କର ରହିଛି ଉଲ୍ଲେଖନୀୟ ଭୂମିକା । ଓଡ଼ିଶାକୁ ବିକଶିତ ଓ ସମୃଦ୍ଧ କରି ଗଢିତୋଳିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ସ୍ବପ୍ନ ଓ ନିର୍ଦ୍ଦେଶକୁ ବାସ୍ତବତାର ରୂପ ଦେଇଛନ୍ତି ପାଣ୍ଡିଆନ । 5T ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବା ସହ ପ୍ରଶାସନିକ ବ୍ୟବସ୍ଥାରେ ଲୋକଙ୍କୁ ସହଜରେ, ସୁବିଧାରେ, ସମୟ ଅନୁସାରେ ସେବା ପ୍ରଦାନର ପ୍ରତିଶ୍ରୁତିବଦ୍ଧତାକୁ ଅନୁପାଳନ କରିଥିଲେ ପାଣ୍ଡିଆନ । 5Tରେ ଥିବା ପ୍ରଥମ Tର ଅର୍ଥ ହେଲା ଟ୍ରାନ୍ସପେରେନ୍ସି ବା ସ୍ବଚ୍ଛତା ।

ଶାସନରେ ସ୍ବଚ୍ଛତା ଉପରେ ଦିଆଯାଇଥିଲା ପ୍ରଥମ ଗୁରୁତ୍ୱ । ଦ୍ବିତୀୟ ଟି’ର ଅର୍ଥ ହେଲା, ଟିମ୍ ଓ୍ବାର୍କ ବା ସମ୍ମିଳିତ ଉଦ୍ୟମ । ତୃତୀୟ ଟି’ର ଅର୍ଥ ହେଲା ଟେକ୍ନୋଲୋଜି ବା ଜ୍ଞାନକୌଶଳ । ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସରକାରୀ କାର୍ଯ୍ୟକୁ ସହଜ କରାଇ ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ଏହାର ଉଦ୍ଦେଶ୍ୟ । ଚତୁର୍ଥ ଟି’ର ଅର୍ଥ ହେଲା, ଟାଇମ ବା ସମୟାନୁବର୍ତ୍ତିତା । ଏକ ନିର୍ଦ୍ଦିଷ୍ଟ ସମୟରେ ଲୋକଙ୍କର କାର୍ଯ୍ୟ ସଂପାଦନ କରିବା । ଏ ୪ଟି ଟିକୁ ମିଶାଇଲେ ପଞ୍ଚମ ଟିର ଆବିର୍ଭାବ, ଅର୍ଥାତ୍ ଟ୍ରାନ୍ସଫରମେସନ୍ ବା ରୂପାନ୍ତରଣ । ଓଡ଼ିଶାର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିଛନ୍ତି ପାଣ୍ଡିଆନ ।

ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରି ପ୍ରତିଟି ସମୟକୁ ଓଡ଼ିଶାର ବିକାଶରେ ବିନିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କ ଦୁଆରେ ଦୁଃଖ ଶୁଣିଛନ୍ତି । ପ୍ରତିଟି ସମସ୍ୟାକୁ ଅନ ଦି ସ୍ପଟ୍ ସମାଧାନ ହେଉ କି ବିକାଶ ପାଇଁ ତ୍ବରିତ ପଦକ୍ଷେପ ନେବାରେ ପାଣ୍ଡିଆନଙ୍କ ଭୂମିକା ଅତୁଳନୀୟ । ଏପରିକି କାଳିମାଡ଼ ଓ ଅଣ୍ଡାମାଡ଼କୁ ଖାତିର ନକରି ନୂଆ ଓଡ଼ିଶା ଗଠନ ପାଇଁ ହସିହସି ସବୁ ବାଧାବିଘ୍ନକୁ ସହିଯାଇଛନ୍ତି ପାଣ୍ଡିଆନ । ଓଡ଼ିଶାର ପୁରପଲ୍ଲୀରେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନଗଣଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।