ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି, ନିର୍ବାଚନ ପୂର୍ବରୁ ବଦଳାଇଲେ ଡିଜିପି

1 min read

ଚଣ୍ଡିଗଡ଼: ବଦଳିଲେ ପଞ୍ଜାବ ଡିଜିପି । ପଞ୍ଜାବ ବିଧାନସଭା ନିର୍ବାଚନ ଆଚରଣବିଧି ଲାଗୁ ହେବା କିଛି ଘଣ୍ଟା ପୂର୍ବରୁ ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟୟଙ୍କୁ ବଦଳାଇ ବିକେ ଭାବରାଙ୍କୁ ନୂଆ ଡିଜିପି ଭାବରେ ନିଯୁକ୍ତି ଦେଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ଡିଜିପିଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ପଞ୍ଜାବରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ପଞ୍ଜାବ ସରକାର UPSC ପ୍ୟାନେଲକୁ କିଛି ଆଇପିଏସ ଅଫିସରଙ୍କ ନାମ ପଠାଇଥିଲା । ଯେଉଁ ଆଇପିଏସଙ୍କ ମଧ୍ୟରୁ ବିକେ ଭାବରାଙ୍କୁ ନୂଆ ଡିଜିପି ଭାବରେ ନିଯୁକ୍ତି ଦିଆଯାଇଛି । ବିକେ ଭାବରା ୧୯୮୭ ବ୍ୟାଚର ଆଇପିଏସ ଅଫିସର ଅଟନ୍ତି । ସେ ପଞ୍ଜାବ ଭିଜିଲାନ୍ସ ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ସୂଚନା ଅନୁସାରେ ପଞ୍ଜାବରେ ସରକାର ବଦଳିବା ସହ କ୍ୟାପଟେନ ଅମିରନ୍ଦର ସିଂଙ୍କ ନିକଟତର ଦିନକର ଗୁପ୍ତା ଜାଣିଥିଲେ କି ତାଙ୍କୁ ଡିଜିପି ପଦରୁ ହଟାଇ ଦିଆଯିବ । ସେଥିପାଇଁ ସେ ଛୁଟିରେ ଚାଲିଯାଇଥିଲେ । ଏହାପରେ ଆଇପିଏସ ସହୋତାଙ୍କ କାର୍ଯ୍ୟକାରୀ ଡିଜିପି ପଦରେ ଅତିରିକ୍ତ ଚାର୍ଜ ଦିଆଯାଇଥିଲା । କିନ୍ତୁ ନବଜୋତ ସିଂ ସିଦ୍ଧୁଙ୍କ ଆପତ୍ତି ପରେ ସିଦ୍ଧୁଙ୍କ ନିକଟତର ଆଇପିଏସ ସିଦ୍ଧାର୍ଥ ଚଟ୍ଟୋପାଧ୍ୟୟଙ୍କୁ ନୂଆ ଡିଜିପି ଭାବରେ ଅତିରିକ୍ତ ଚାର୍ଜ ଦିଆଯାଇଥିଲା ।

ତେବେ UPSC ପ୍ୟାନେଲକୁ  ଯେଉଁ ୧୦ ଆଇପିଏସ ଅଫିସରଙ୍କ ନାଁ ପଞ୍ଜାବ ସରକାର ପଠାଇଥିଲା ସେମାନଙ୍କ ମଧ୍ୟରୁ ଯେଉଁ ତିନିଜଣଙ୍କ ନାଁ ଅନୁମୋଦିତ ହୋଇଥିଲା ସେମାନଙ୍କ ମଧ୍ୟରେ ସିଦ୍ଧାର୍ଥ ଚଟ୍ଟୋପାଧ୍ୟୟଙ୍କ ନାଁ ନଥିଲା । ସେଥିପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର କିଛି ଘଣ୍ଟା ପୂର୍ବରୁ ପଞ୍ଜାବ ସରକାର ବିକେ ଭାବରାଙ୍କୁ ନୂଆ ଡିଜିପି ଭାବରେ ନିଯୁକ୍ତି କରିଛନ୍ତି ।

Leave a Reply