ବିଜୟ ହଜାରେ ଟ୍ରଫିରେ ଆଉ ଏକ ମ୍ୟାଚ୍ ଖେଳିବେ ବିରାଟ
ନନ୍ଦିଘୋଷ ବ୍ୟୁରୋ: ବିରାଟ ଫ୍ୟାନଙ୍କ ପାଇଁ ଖୁସି ଖବର । ପୁଣି ଦେଖିବାକୁ ମିଳିବ ବିରାଟଙ୍କ ବ୍ୟାଟିଂ ଯାଦୁ । କାରଣ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଆଉ ଏକ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି କିଙ୍ଗ କୋହଲି । ୨୦୨୫-୨୬ ପାଇଁ ଦିଲ୍ଲୀ ତରଫରୁ ବିରାଟ ଦୁଇଟି ମ୍ୟାଚ୍ ଖେଳି ସାରିଛନ୍ତି । ଆଉ ଏହି ଦୁଇଟି ମ୍ୟାଚରେ ୨୦୦ରୁ ଅଧିକ ରନ୍ କରି ସେ ତାଙ୍କ ପ୍ରଶଂସକଙ୍କୁ ଖୁସ କରି ଦେଇଛନ୍ତି । ସୂଚନାଯୋଗ୍ୟ, ବିସିସିଆଇ ସମସ୍ତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଖେଳାଳିଙ୍କୁ ବିଜୟ ହଜାରେ ଟ୍ରଫିରେ ଅତି କମରେ ଦୁଇଟି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ରୋହନ ଜେଟଲି ଏହା ସ୍ପଷ୍ଟ କରିଛନ୍ତି କି ବିରାଟ ଏହି ଟୁର୍ଣ୍ଣାମେଣ୍ଟରେ ଆଉ ଏକ ମ୍ୟାଚ ଖେଳିବାକୁ ଯାଉଛନ୍ତି ।
ରୋହନ ଜେଟଲି କହିଛନ୍ତି, ଜାନୁଆରୀ ୬ ତାରିଖରେ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ ରେଲଓ୍ବେ ବିପକ୍ଷରେ ବିରାଟ ଫିଲ୍ଡକୁ ଓହ୍ଲାଇବେ । ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଅଭ୍ୟାସ ପାଇଁ ବିରାଟ ବିଜୟ ହଜାରେ ଟ୍ରଫିରେ ଆଉ ଏକ ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି । ଯାହା ଜାନୁଆରୀ ୧୧ରୁ ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ବିରାଟ ଖେଳିଥିବା ମ୍ୟାଚରେ ୧୩୧ ଓ ୭୭ ରନ କରିଛନ୍ତି । ଯାହା ଦିଲ୍ଲୀ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା । ରୋହନ କହିଛନ୍ତି, ବର୍ତ୍ତମାନ ସେ ଖେଳୁଛନ୍ତି । ଟୁର୍ଣ୍ଣାମେଣ୍ଟରେ ତିନୋଟି ମ୍ୟାଚ ଖେଳିବାକୁ ସେ ସହମତ ହୋଇଛନ୍ତି ।
ରେଲଓ୍ବେ ପାଖରୁ ପ୍ରତିଶୋଧ ନେବାର ସୁଯୋଗ
ଏହା ପୂର୍ବରୁ ବିରାଟ ରଣଜୀ ଟ୍ରଫିରେ ରେଲଓ୍ବେ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିଥିଲେ । ୨୦୨୫ ଜାନୁଆରୀରେ ଏହି ମ୍ୟାଚ୍ ଖେଳା ଯାଇଥିଲା । ୧୨ ବର୍ଷ ପରେ କୋହଲି ପ୍ରଥମ ଘରୋଇ ଫାଷ୍ଟ କ୍ଲାସ ମ୍ୟାଚ୍ ଖେଳୁଥିଲେ । ହେଲେ ଏହି ମ୍ୟାଚରେ ସେ ମାତ୍ର ୬ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଆଉ ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀରେ ଖେଳାଯାଇଥିବା ଏହି ମ୍ୟାଚର ପ୍ରତିଶୋଧ ନେବାକୁ ବିରାଟଙ୍କ ପାଖରେ ସୁଯୋଗ ରହିଛି ।

