ଚମ୍ପିୟନ୍ସ ଟ୍ରଫି ଫାଇନାଲ: ଟସ୍ ପଡ଼ିବା ମାତ୍ରା ବିରାଟ କରିବେ ଆଉ ଏକ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଚମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ । ଫାଇନାଲ ଜିତି ଭାରତ ନ୍ୟୁଜିଲାଣ୍ଡ ପାଖରୁ ୨୫ ବର୍ଷ ତଳର ପ୍ରତିଶୋଧ ନେବାକୁ ପଡ଼ିଆକୁ ଓହ୍ଲାଇବ । ଆଉ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଟସ୍ ପଡୁ ପଡୁ କରିବେ ଆଉ ଏକ ରେକର୍ଡ । ହଁ ଆଜ୍ଞା ମ୍ୟାଚର ପ୍ରଥମ ବଲ୍ ପଡ଼ିବା ପୂର୍ବରୁ ବିରାଟଙ୍କ ନାଁରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ରେକର୍ଡ । ଆଉ ଏହି ମାଇଲଖୁଣ୍ଟ ଛୁଇଁବାରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପରେ ସେ ହେବେ ଦ୍ବିତୀୟ ଭାରତୀୟ । ଆସନ୍ତୁ, ଜାଣିବା ବିରାଟ କେଉଁ ରେକର୍ଡ କରିବାକୁ ଯାଉଛନ୍ତି ।

ରେକର୍ଡ କରିବାକୁ ଯାଉଛନ୍ତି କୋହଲି

ନିଜ ପ୍ରଦର୍ଶନ ଜରିଆରେ ବିରାଟ କୋହଲି କ୍ରିକେଟ୍ ଦୁନିଆରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୦୮ରେ ନିଜର ଅନ୍ତର୍ଜାତୀୟ କ୍ରିକେଟ ଜୀବନ ଆରମ୍ଭ କରିଥିବା ବିରାଟ ଭାରତୀୟ ଟିମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଖେଳାଳି ରହି ଆସିଛନ୍ତି । ଆଉ ଚମ୍ପିୟନ୍ସ ଟ୍ରଫି ଫାଇନାଲ ହେବାକୁ ଯାଉଛି ତାଙ୍କ କ୍ୟାରିୟରର ୫୫୦ ତମ ମ୍ୟାଚ୍ । ଏହି ମ୍ୟାଚରେ ପଡ଼ିଆକୁ ଓହ୍ଲାଇବା ସହ ବିରାଟ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ମ୍ୟାଚ୍ ଖେଳିବାର ଖେଳାଳି ବନିଯିବେ । ଏହାସହ ୫୫୦ ମ୍ୟାଚ୍ ଖେଳିବାରେ ସେ ଷଷ୍ଠ ସ୍ଥାନରେ ରହିବେ । ତାଙ୍କ ଆଗକୁ ଭାରତ ତରଫରୁ ସଚିନ ରହିଛନ୍ତି । ସେ ମୋଟ୍ ୬୬୪ ମ୍ୟାଚ୍ ଖେଳିଛନ୍ତି । ସଚିନଙ୍କ ସମେତ ଏହି ତାଲିକାରେ ମହେଲା ଜୟବର୍ଦ୍ଧନ, କୁମାର ସାଙ୍ଗାକାରା, ସନଥ ଜୟସୂରିଆ ଏବଂ ରିକି ପଣ୍ଟିଂ ରହିଛନ୍ତି ।

ଏକାଧିକ ରେକର୍ଡ କରିପାରନ୍ତି ବିରାଟ୍

ବିରାଟ କେବଳ ୫୫୦ ମ୍ୟାଚ୍ ଖେଳିବାର ରେକର୍ଡ କରିବେ ତାହା ନୁହେଁ । ଏହି ମ୍ୟାଚରେ ଏକାଧିକ ରେକର୍ଡ କରିବାର ସୁଯୋଗ ରହିଛି ବିରାଟଙ୍କ ପାଖରେ । ଫାଇନାଲରେ ୬୪ ରନ କରିଲେ ବିରାଟ ଚମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ରନ୍ କରିବାର ରେକର୍ଡ କରିବେ । ବର୍ତ୍ତମାନ ଏହି ରେକର୍ଡ କ୍ରିସ୍ ଗେଲଙ୍କ ନାଁରେ ରହିଛି । ସେ ୭୯୧ ରନ୍ କରିଛନ୍ତି । ଏହାବାଦ, ବିରାଟ ୫୫ ରନ୍ କରିଲେ ଦିନିକିଆ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ରନ୍ କରିବାର ଅଧିକାରୀ ହେବେ । ତାଙ୍କ ଉପରକୁ ଥିବା କୁମାର ସଙ୍ଗାକାରା ୧୪ ହଜାର ୨୩୪ ରନ କରିଛନ୍ତି । ଏହି ତାଲିକାରେ ୧୮ ହଜାର ୪୨୬ ରନ୍ ସହ ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ଅଛନ୍ତି । ଏହାସହ ଗୋଲ୍ଡେନ ବ୍ୟାଟ୍ ରେସରେ ମଧ୍ୟ ବିରାଟ ରହିଛନ୍ତି । ଏଥିପାଇଁ ଫାଇନାଲରେ ତାଙ୍କୁ ଏକ ବଡ଼ ଇଂନିସ ଖେଳିବାକୁ ପଡ଼ିବ ।