spot_img

Latest Posts

ମୁଁ ଦିନିକିଆରେ ଅଧିନାୟକତ୍ୱ ଛାଡିବାକୁ ଚାହୁଁନଥିଲି: କୋହଲି

ମୁମ୍ବାଇ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଆଜି ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ କନଫରେନ୍ସ ହୋଇଥିଲା । ଏହି ପ୍ରେସ କନଫରେନ୍ସରେ ସମସ୍ତଙ୍କ ନଜର ଥିଲା ବିରାଟ କୋହଲିଙ୍କ ଉପରେ । ଦିନିକିଆରୁ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ବାହାର କରିବା ପରେ ବିରାଟ ଓ ରୋହିତଙ୍କୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଥିଲା । ଏହାକୁ ଦୃଷ୍ଟିରେ ରଖି ଆଜିର ପ୍ରେସ କନଫରେନ୍ସ ଗୁରୁତ୍ୱ ବହନ କରିଥିଲା ।

ଦକ୍ଷିଣ ଆଫ୍ରିକା ଗସ୍ତରେ ହେବାକୁ ଥିବା ଦିନିକିଆରେ ଖେଳିବେ ବୋଲି ଆଜି ପ୍ରେସ କନଫରେନ୍ସରେ ସ୍ପଷ୍ଟ କରିଛନ୍ତି ବିରାଟ କୋହଲି । ଏଥିସହ ଦିନିକିଆ ସିରିଜ ସମୟରେ ଛୁଟି ନେବା ଓ ବିଶ୍ରାମ ନେବା କଥାକୁ ସିଧା ସିଧା ମନା କରିଥିଲେ ବିରାଟ । ବିରାଟ କହିଥିଲେ କି ‘ମୁଁ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ସିରିଜରେ ଖେଳିବି । ଗଣମାଧ୍ୟମରେ ଭୁଲ ଖବର ପ୍ରସାରିତ ହେଉଛି ବୋଲି କହିଥିଲେ ବିରାଟ କୋହଲି ।

ଦିନିକିଆରେ ଅଧିନାୟକ ପଦରୁ ବାହାର କରିବା ବିଷୟରେ ମଧ୍ୟ ଆଜିର ପ୍ରେସ କନଫରେନ୍ସରେ କହିଥିଲେ  ବିରାଟ। ସେ କହିଥିଲେ କି ଯେତେବେଳେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳର ଚୟନ ହୋଇଥିଲା ଏହି ସମୟରେ ଚୟନକର୍ତ୍ତା କହିଥିଲେ କି ମୋତେ ଦିନିକିଆରୁ ମଧ୍ୟ ଅଧିନାୟକ ପଦରୁ ବାହାର କରାଯାଇଛି । ଏହା ପରେ ଚୟନକର୍ତ୍ତାଙ୍କ ସହ କିଛି ଆଲୋଚନା ହୋଇନି ବୋଲି କହିଛନ୍ତି ବିରାଟ । ଅନ୍ୟପକ୍ଷରେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଉଛି ବୋଲି ମଧ୍ୟ କହିଛନ୍ତି ବିରାଟ ।

ବିରାଟ କୋହଲି ଆହୁରି କହିଥିଲେ କି ମୁଁ ଯେତେବେଳେ ଟି-୨୦ ରୁ ଅଧିନାୟକ ପଦ ଛାଡିଥିଲି ସେ ସମୟରେ ବିସିସିଆଇକୁ ଏହା ଜଣାଇଥିଲି । ମୋର ଏହି ଘୋଷଣା ପରେ ବିସିସିଆଇ ମଧ୍ୟ ଏହାକୁ ମାନି ନେଇଥିଲା । ଏହା ପରେ ମୁଁ କହିଥିଲି କି ଦିନିକିଆ ଓ ଟେଷ୍ଟ ଦଳରେ ଭାରତର ଅଧିନାୟକ ଭାବରେ ରହିବାକୁ ମୁଁ ଚାହୁଁଛି । କିନ୍ତୁ ବର୍ତ୍ତମାନ ଚୟନକର୍ତ୍ତା ଏବେ ଦିନିକିଆରୁ ମୋତେ ଅଧିନାୟକ ପଦରୁ ବାହାର କରିଦେଇଛନ୍ତି । ମୁଁ ଚୟନ କର୍ତ୍ତାଙ୍କ ନିଷ୍ପତ୍ତି ସମ୍ମାନ ଦେଉଛି ବୋଲି କହିଛନ୍ତି ବିରାଟ ।

ବିଗତ କିଛି ଦିନ ଧରି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ବିବାଦ ଚାଲୁ ରହିଥିବା ଖବର ସାମ୍ନାକୁ ଆସିଥିଲା । ରୋହିତ ଶର୍ମାଙ୍କ ସହ ବିବାଦ ଖବରକୁ ନେଇ ମଧ୍ୟ ଆଜି ପ୍ରେସ୍ କନଫରେନ୍ସରେ ମୁହଁ ଖୋଲିଛନ୍ତି ବିରାଟ । ବିରାଟ କୋହଲି କହିଛନ୍ତି କି ମୁଁ ଦୀର୍ଘ ଅଢ଼େଇ ବର୍ଷ ହେଲା କହି ଆସୁଛି କି ଆମ ଭିତରେ କିଛି ବାବଦ ନାହିଁ । ରୋହିତ ଓ ମୋ ମଧ୍ୟରେ କିଛି ସମସ୍ୟା ନାହିଁ । ଏହି କଥାର ସ୍ପଷ୍ଟିକରଣ ଦେଇ ମୁଁ ଥକି ଗଲିଣି ବୋଲି ଆଜି ପ୍ରେସ କନଫରେନ୍ସରେ କହିଥିଲେ ବିରାଟ କୋହଲି ।

 

Latest Posts

Don't Miss