ବିରାଟଙ୍କ ହାତରୁ ଯାଇପାରେ ଦିନିକିଆ ଅଧିନାୟକତ୍ୱ; ଚଳିତ ସପ୍ତାହରେ ହେବ ନିଷ୍ପତି

1 min read

ମୁମ୍ବାଇ: ଟି-୨୦ ବିଶ୍ୱକପ ପରେ ଟି-୨୦ ଅନ୍ତର୍ଜାତୀୟରୁ ଅଧିନାୟକ ପଦ ଛାଡି ସାରିଛନ୍ତି ବିରାଟ କୋହଲି । କୋହଲି ଅଧିନାୟକ ପଦ ଛାଡିବା ପରେ ଭାରତୀୟ ଦଳର ଟି-୨୦ର କମାଣ୍ଡ ସମ୍ଭାଳୁଛନ୍ତି ରୋହିତ ଶର୍ମା । ତେବେ ଟି-୨୦ରୁ ଅଧିନାୟକ ପଦ ଯିବା ପରେ ଏବେ ଦିନିକିଆରୁ ମଧ୍ୟ ବିରାଟଙ୍କ ହାତରୁ ଯାଇପାରେ ଅଧିନାୟକତ୍ୱ । ଚଳିତ ମାସରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ପାଇଁ ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ହେବାକୁ ଯାଉଛି ଦଳ ଚୟନ । ଚଳିତ ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଚୟନ କରାଯିବ । କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ନିର୍ଦ୍ଧାରିତ ସମୟଠାରୁ ଏକ ସପ୍ତାହ ପରେ ଆରମ୍ଭ ହେବ ଏହି ସିରିଜ୍ ।

ଟି-୨୦ ବିଶ୍ୱକପ ଏବଂ ଟେଷ୍ଟ ଚମ୍ପିଆନସିପ୍ ପାଇଁ ଟି-୨୦ ଓ ଟେଷ୍ଟ ଫର୍ମାଟରେ ଅଧିକ ଧ୍ୟାନ ଦେଉଥିଲା ଟିମ୍ ଇଣ୍ଡିଆ । ଭାରତ ଚଳିତ ବର୍ଷ ମାତ୍ର ୬ଟି ଦିନିକିଆ ମ୍ୟାଚ ଖେଳିଛି । ୨୦୨୧ ପରି ୨୦୨୨ରେ ମଧ୍ୟ ଭାରତ ଦିନିକିଆ ଅପେକ୍ଷା ଅଧିକ ଟି-୨୦ ମ୍ୟାଚ ଖେଳିବ । ଯେଉଁଥିରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ସାମିଲ ରହିଛି । ଟି-୨୦ ବିଶ୍ୱକପ ପରେ ୨୦୨୩ରେ ଦିନିକିଆ ବିଶ୍ୱକପ ଖେଳାଯିବ । ତେବେ ବର୍ତ୍ତମାନ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୭ ମାସ ମଧ୍ୟରେ ଭାରତ କେବଳ ୯ଟି ଦିନିକିଆ ମ୍ୟାଚ ଖେଳିବ । ଯେଉଁଥିରେ ୬ଟି ମ୍ୟାଚ ବିଦେଶରେ ଖେଳାଯିବ ଏବଂ ୩ଟି ମ୍ୟାଚ ଭାରତରେ ଖେଳାଯିବ ।

ବିସିସିଆଇର ଏକ ଗ୍ରୁପ୍ ବିରାଟ କୋହଲିଙ୍କୁ ଦିନିକିଆରେ ଅଧିନାୟକ ଭାବରେ ରଖିବାକୁ ଦାବି କରୁଥିବାବେଳେ ଅନ୍ୟ ଏକ ଗ୍ରୁପ୍ ଟି-୨୦ ଓ ଦିନିକିଆରେ ଜଣେ ଖେଳାଳିଙ୍କୁ ହିଁ ଅଧିନାୟକ କରିବାକୁ କହୁଛନ୍ତି । କାହିଁକି ନା ରୋହିତ ଶର୍ମା ୨୦୨୩ ଦିନିକିଆ ବିଶ୍ବକପ ପାଇଁ ଭଲ ଭାବରେ ପ୍ରସ୍ତୁତି କରିପାରିବେ । ତେବେ ଏହି ମାମଲାରେ ଶେଷ ନିଷ୍ପତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହା ନେବେ । ବିରାଟ କୋହଲି ପୂର୍ବରୁ ହିଁ ଟି-୨୦ ଅଧିନାୟକ ଛାଡି ସାରିଛନ୍ତି ।  ଦିନିକିଆରେ ବିରାଟଙ୍କ ନେତୃତ୍ବରେ ଭାରତ ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲ ଏବଂ ୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲରେ ପରାଜୟର ସ୍ୱାଦ ଚାଖିଥିଲେ । ତେବେ ବିରାଟ କୋହଲି ଦିନିକିଆରେ ଅଧିନାୟକ ରହିବେ ନା ନାହିଁ ତାହା ଚଳିତ ସପ୍ତାହରେ ଜଣାପଡ଼ିବ ।

 

Leave a Reply