ଦଳରୁ ବାଦ୍ ପଡ଼ିଲେ ରୋହିତ, ଅଧିନାୟକ ବନିଲେ ବିରାଟ!

ନୂଆଦିଲ୍ଲୀ: ରୋହିତ ବାହିନୀ ଭାରତରେ ଅନୁଷ୍ଠିତ ବିଶ୍ବକପରେ ଦମଦାର ପ୍ରଦର୍ଶନ ସହ ସେମିଫାଇନାଲରେ ପହଞ୍ଚିଛି । ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ। ମୁମ୍ବାଇରେ ଅନୁଷ୍ଠିତ ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି । ତେବେ ୨୦୨୩ ବିଶ୍ବକପର ଶ୍ରେଷ୍ଠ ଟିମ ବାଛିଛି କ୍ରିକେଟ ଅଷ୍ଟ୍ରେଲିଆ । ଯେଉଁଥିରେ ଭାରତର ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ବାଦ ଦିଆଯାଇଛି । ଚଳିତ ବିଶ୍ବକପରେ ରୋହିତ ୫ଶହରୁ ଅଧିକ ସ୍କୋର କରିସାରିଲେଣି । ତାଙ୍କ ବ୍ୟାଟିଂ ସାଙ୍ଗକୁ ଅଧିନାୟକତ୍ବକୁ ସାରା ବିଶ୍ବରେ ପ୍ରଂଶସା କରାଯାଉଥିବାବେଳେ କ୍ରିକେଟ ଅଷ୍ଟ୍ରେଲିଆ ରୋହିତଙ୍କୁ ବାଦ ଦେଇଛି ।

ସେପଟେ ଏହି ଟିମରେ ୪ ଜଣ ଭାରତୀୟ ଖେଳାଳି ରହିଛନ୍ତି । ବିରାଟ କୋହଲି, ମହମ୍ମଦ ସାମି, ବୁମରା ଏବଂ ଜାଡେଜା । ୧୨ ଜଣିଆ ଟିମରେ ୪ ଭାରତୀୟ ରହିଥିବାବେଳେ ଅଷ୍ଟ୍ରେଲିଆର ତିନିଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ମ୍ୟାକ୍ସଓ୍ବେଲ, ଜାମ୍ପା ଏବଂ ଡେଭିଡ୍ ଓ୍ବାର୍ଣ୍ଣର । ସେପଟେ ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ୱିଣ୍ଟନ ଡି କକ, ଆଡେନ ମାର୍କ୍ରାମ ଏବଂ ମାର୍କୋ ଜାନସେନଙ୍କୁ ସାମିଲ କରାଯାଇଛି। ନ୍ୟୁଜିଲ୍ୟାଣ୍ଡରୁ ରାଚିନ୍ ରବିନ୍ଦ୍ର ଏହି ଟିମରେ ସ୍ଥାନ ପାଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ବିରାଟ କୋହଲିଙ୍କୁ ଏହି ଟିମର ଅଧିନାୟକ ବନାଇଛି । ସେପଟେ ଦ୍ବାଦଶ ଖେଳାଳିଭାବେ ଶ୍ରୀଲଙ୍କାର ଦୃତ ବୋଲର ଦିଲସାନଙ୍କୁ ସ୍ଥାନ ଦେଇଛି ।