ବିଶ୍ବକପ୍: ଟିମ୍ ଇଣ୍ଡିଆ ଦେବ ଦିଓ୍ବାଲୀ ଗିଫ୍ଟ, ଶତକର ଅର୍ଦ୍ଧଶତକ କରିବା ଲକ୍ଷ୍ୟରେ ବିରାଟ

ବେଙ୍ଗାଲୁରୁ: ଆସନ୍ତାକାଲି ସାରା ଦେଶ ପାଳନ କରିବ ଆଲୋକର ପର୍ବ ଦୀପାବଳି । ଆଉ ଆସନ୍ତାକାଲି ଭାରତ ନେଦରଲାଣ୍ଡ ବିପକ୍ଷରେ ବିଶ୍ବକପର ଶେଷ ଲିଗମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇ । ଚଳିତ ବିଶ୍ବକପରେ ଅପରାଜୟ ଥିବା ଭାରତୀୟ ଟିମ୍ ନେଜରଲାଣ୍ଡକୁ ହରାଇ ଦେଶବାସୀଙ୍କୁ ଦୀପାବଳି ଗିଫ୍ଟ ଦେବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷେ, ମ୍ୟାଚରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । କାରଣ, ଫୁଲ ଫର୍ମରେ ଥିବା କୋହଲି କାଲିର ମ୍ୟାଚରେ ଆଉ ଏକ ଶତକୀୟ ପାରି ଖେଳି ମାଷ୍ଟର ବ୍ଲାଷ୍ଟର ସଚିତ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୫୦ ଶତକ କରିବାର ରେକର୍ଡ ନିଜ ନାଁରେ କରିବାକୁ ଚାହିଁବେ ।

ଭାରତ ପ୍ରଥମ ଦଳ ଭାବେ ସେମିଫାଲନାଲରେ ପ୍ରବେଶ କରି ସାରିଥିବା ବେଳେ ନେଦରଲାଣ୍ଡ ବିଶ୍ବକପରୁ ବାହାର ହୋଇ ସାରିଛି । କେବଳ ଔପଚାରିତା ରହି ଯାଇଥିବା ଏହି ମ୍ୟାଚରେ ଭାରତ ବିଶେଷ କିଛି ପରିବର୍ତ୍ତନ ନକରି ଫିଲ୍ଡକୁ ଓହ୍ଲାଇ ପାରେ । କାଲିର ମ୍ୟାଚ୍ ବିଶ୍ବକପ୍ ପଏଣ୍ଟ ଟେବୁଲ ପାଇଁଏତେ ଗୁରୁତ୍ବପୂର୍ଣ୍ଣ ହୋଇ ନଥିଲେ ବି ସାରା ବିଶ୍ବର କ୍ରିକେଟ୍ ପ୍ରେମୀଙ୍କ ନଜର କୋହଲିଙ୍କ ଉପରେ ରହିବ । ସଚିନଙ୍କୁ ଦେଖି କ୍ରିକେଟ୍ ଶିଖିଥିବା କୋହଲି କାଲି ତାଙ୍କ ଆଇଡଲଙ୍କ ରେକର୍ଡ ଅତିକ୍ରମ କରିବା ସହ ସଚିନଙ୍କ ଭବିଷ୍ୟବାଣୀକୁ ସତ କରିବାକୁ ଚାହିଁବେ ।

ଅନ୍ୟପକ୍ଷରେ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ୧୫ ନଭେମ୍ବରରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ଖେଳାଯିବା ୨୦୨୩ ବିଶ୍ବକପର ପ୍ରଥମ ସେମିଫାଇନାଲ । ତେବେ ଏହି ମ୍ୟାଚ୍ ପୂର୍ବରୁ ନେଦରଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ ଭଲ ଅଭ୍ୟାସ ହେବ । ୨୦ ବର୍ଷ ପରେ ନ୍ୟୂଜଲାଣ୍ଡକୁ ବିଶ୍ବକପରେ ହରାଇ ଥିବା ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଗୋଟିଏ ବିଶ୍ବକପରେ ଭାରତ ପାଖରୁ ଦୁଇ ଦୁଇଟି ପରାଜୟ ବରଣ କରିବାକୁ ଚାହିଁବି ନାହିଁ ।