ବିରାଟଙ୍କ ଶତକୀୟ ଇନିଂସ ବଳରେ ଗୁଜରାଟକୁ ୧୯୮ ରନର ଟାର୍ଗେଟ ଦେଲା ଆରସିବି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ଶ ବ୍ୟାଙ୍ଗଲୋର (ଆରସିବି)ର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ଆଇପିଏଲ ୨୦୨୩ର ଶେଷ ଲିଗ୍ ମ୍ୟାଚରେ ଧମାକା କରିଛନ୍ତି । ଆରସିବି ପାଇଁ ଡୁ ଅର ଡାଏ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କ ବ୍ୟାଟରୁ ଅପରାଜିତ ଶତକୀୟ ଇନିଂସ ଦେଖିବାକୁ ମିଳିଥିଲା । ଏଥିସହିତ ସେ ଇଣ୍ଡିଆନ ପ୍ରିମିୟର ଲିଗ୍ ଅର୍ଥାତ ଆଇପିଏଲରେ ଇତିହାସ ରଚିଛନ୍ତି । ବିରାଟ କୋହଲି ଏହି ଲିଗରେ ସବୁଠୁ ଅଧିକ ଶତକ ଯୋଡ଼ିଥିବା ବ୍ୟାଟର ହୋଇଯାଇଛନ୍ତି । ଲଗାତାର ଦ୍ୱିତୀୟ ଶତକ ଚଳିତ ସିଜିନରେ ତାଙ୍କ ବ୍ୟାଟରୁ ବାହାରିଛି । ବିରାଟ କୋହଲି ଆଇପିଏଲ ଇତିହାସରେ ସବୁଠୁ ଅଧିକ ଶତକ ମାରିଥିବା କ୍ରିସ ଗେଲକୁ ପଛରେ ପକାଇ ଦେଇଛନ୍ତି ।

କ୍ରିସ୍ ଗେଲ ଆଇପିଏଲରେ ୬ ଶତକ ମାରିଥିଲେ, ଯେତେବେଳେ କି ବିରାଟ କୋହଲିଙ୍କ ବ୍ୟାଟରୁ ଚଳିତ ଲିଗରେ ସପ୍ତମ ଶତକ ଆସିଛି । ସେହିପରି ୫ ଶତକ ସହ ଜୋସ ବଟଲର ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚରେ ବିରାଟ କୋହଲି ୬୦ ବଲରେ ୧୩ ଚୌକା ଏବଂ ଗୋଟିଏ ଚକା ସହାୟତାରେ ଶତକ ପୂରା କରିଛନ୍ତି । ଆଇପିଏଲ ଇତିହାସରେ ଏହା ତାଙ୍କର ସପ୍ତମ ଛକା ଅଟେ । ଯେତେବେଳେ କି ଚଳିତ ସିଜିନରେ ଏହା ତାଙ୍କର ଦ୍ୱିତୀୟ ଶତକ ଅଟେ । ଏହା ପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ ।

ଶେଷ ଲିଗ୍ ମ୍ୟାଚରେ ଆଜି ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହିପରି ଆରସିବି ପକ୍ଷରୁ ବିରାଟ କୋହଲି ଏବଂ ଅଧିନାୟକ ଡୁପ୍ଲେସିସ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରୀଜକୁ ଓହ୍ଲାଇଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୬୭ ରନର ପାର୍ଟନରସିପ୍ କରିଥିଲେ । ଡୁପ୍ଲେସିସ୍ ୧୯ ଟି ବଲରେ ୨୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ମାକ୍ସୱେଲ୍ (୧୧ ରନ୍) ଏବଂ ଲୋମ୍ରୋର (୧ରନ୍) ଭଲ ପ୍ରଦର୍ଶନ କରି ପାରିନଥିଲେ । ହେଲେ ଗୋଟିଏ ପଟେ ବିରାଟ କୋହଲି ଦୃଢ଼ ଭାବେ ଛିଡ଼ାଥିଲେ ।

ଏମ୍ ବ୍ରାସୱେଲ୍ ୧୬ ଟି ବଲରେ ୨୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ଦୀନେଶ କାର୍ତ୍ତିକ ଆଜି ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ । ଖାତା ଖୋଲିନପାରି ୟଶ୍ ଦୟାଲଙ୍କ ବଲର ଶିକାର ହୋଇଥିଲେ । ଇନିଂସ ଶେଷ ବେଳକୁ ବିରାଟଙ୍କ ସହ ଅନୁଜ ରାୱତ ଅପରାଜିତ ରହିଥିଲେ । ଅନୁଜ ୧୫ ଟି ବଲରେ ୨୩ ରନ୍ କରିଥିବା ବେଳେ ବିରାଟ କୋହଲି ୬୧ ଟି ବଲରେ ୧୦୧ ରନ୍ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୭ ରନ୍ ସଂଗ୍ରହ କରିଥିଲା । ଗୁଜରାଟ ଟାଇଟନ୍ସ ପକ୍ଷରୁ ନୁର ଅହମ୍ମଦ ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଆଜିର ମ୍ୟାଚ୍ ଜିତିଲେ ହିଁ ଆରସିବି ପ୍ଲେଅଫକୁ ଯିବ । ଯଦି ହାରିଯାଏ ଏହିଠାରୁ ହିଁ ଚଳିତ ଆଇପିଏଲ ଅଭିଯାନ ଶେଷ କରିବ ।