ହାପି ବାର୍ଥ ଡେ’ ବିରାଟ: ୩୫ ବର୍ଷରେ କୋହଲି, ସ୍ପେଶାଲ ଡେ’ରେ ତାଙ୍କର ୩୫ ରେକର୍ଡ

1 min read

ଭୁବନେଶ୍ବର: କ୍ରିକେଟ ଦୁନିଆରେ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ସାଜିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ୩୫ ବର୍ଷରେ ପଦାର୍ପଣ କରିଛନ୍ତି ବିରାଟ । କ୍ରିକେଟ ଦୁନିଆରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ବିରାଟ । ବର୍ତ୍ତମାନ ବିଶ୍ବକପ ଖେଳୁଥିବା ବିରାଟ ଫୁଲ୍ ଫର୍ମରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚରୁ ୪୪୨ ରନ୍ କରିସାରିଛନ୍ତି । ତେବେ ଆଜି ତାଙ୍କ ୩୫ ତମ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର ୩୫ଟି ରେକର୍ଡ ସମ୍ପର୍କରେ ।

୧. ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୨୦୦୮ ଅଣ୍ଡର-୧୯ ବିଶ୍ବକପ୍ ଜିତିଥିଲା । ମାଲେସିଆରେ ଏହି ବିଶ୍ବକପ ଖେଳାଯାଇଥିଲା । ୨୦୦୮ ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

୨. ଦେଓଧର ଟ୍ରଫି ଫାଇନାଲ ଟିମର ନେତୃତ୍ବ ନେବାରେ କୋହଲି ହେଉଛନ୍ତି ଦ୍ବିତୀୟ ଯୁବ କ୍ରିକେଟର । ୨୦୦୯-୧୦ ବର୍ଷ ଫାଇନାଲରେ ନେତୃତ୍ବ କରିବା ବେଳେ ତାଙ୍କ ବୟସ ୨୧ ବର୍ଷ ୧୨୪ ଦିନ ହୋଇଥିଲା । ୪ ବର୍ଷ ପୂର୍ବରୁ ଶୁବମନ ଗିଲ ୨୦ ବର୍ଷ ୫୭ ଦିନରେ ବିରାଟଙ୍କ ରେକର୍ଡ ଭାଙ୍ଗିଥିଲେ ।

୩. ଗୋଟିଏ ଦଶକରେ ୨୦ ହଜାର ରନ୍ କରିବାର ରେକର୍ଡ ତାଙ୍କ ନାଁରେ ରହିଛି । ୨୦୨୯ରେ ଭାରତ ଓ୍ବେଷ୍ଟଇଣ୍ଡିଜ ସିରିଜର ତୃତୀୟ ମ୍ୟାଚରେ ସେ ଏହି ରେକର୍ଡ ବନାଇଥିଲେ । ଏହି ମ୍ୟାଚରେ ସେ ୯୯ ବଲରେ ୧୧୪ ରନ୍ କରି ଏହି ମାଇଲ ଖୁଣ୍ଟ ଛୁଇଁଥିଲେ

୪. ଦିନିକିଆରେ ଦ୍ରୁତ ୧୦ ହଜାର କରିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ୨୦୧୮ରେ ଏହି ସଫଳତା ବିରାଟଙ୍କ ଖାତାକୁ ଆସିଥିଲା । ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୫୭ ରନ୍ କରି ସେ ଏହି ରେକର୍ଡ ଛୁଇଁଥିଲେ । ଏଥିପାଇଁ ତାଙ୍କୁ ୨୦୫ ଦିନିକିଆ ଖେଳିବାକୁ ପଡ଼ିଥିଲା । ଏହା ପୂର୍ବରୁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ନାଁରେ ଏହି ରେକର୍ଡ ଥିଲା । ସେ ୨୫୯ ମ୍ୟାଚରେ ଏହି ମାଇଲଖୁଣ୍ଟ ଛୁଇଥିଲେ ।

୫. ଗୋଟିଏ କ୍ୟାଲେଣ୍ଡ ବର୍ଷରେ ଦ୍ରୁତ ୧୦୦୦ ରନ୍ କରିବା ରେକର୍ଡ ମଧ୍ୟ ବିରାଟଙ୍କ ନାଁରେ ରହିଛି । ୧୧ ମ୍ୟାଚରେ ସେ ଏହି କୃତିତ୍ବ ହାସଲ କରିଥିଲେ । ହାସିମ ଅମଲାଙ୍କୁ ପଛରେ ପକାଇ ସେ ଏହି ରେକର୍ଡ କରିଥିଲେ । ଅମଲା ୧୫ ମ୍ୟାଚରେ ଏହି ରେକର୍ଡ କରିଥିଲେ ।

୬. ଦୁଇଟି ଟିମ୍ ବିପକ୍ଷରେ ଦିନିକିଆରେ ଲଗାତାର ୩ଟି ଲେଖାଏଁ ଶତକ ମାରିବା ରେକର୍ଡ କୋହଲିଙ୍କ ନାଁରେ ରହିଛି । ୨୦୧୨ ଫେବୃଆରୀରୁ ୨୦୧୨ ଜୁଲାଇ ମଧ୍ୟରେ ଶ୍ରୀଳଙ୍କା ବିପକ୍ଷରେ ୧୩୩ (ନଟ୍ ଆଉଟ୍), ୧୦୮ ଓ ୧୦୬ ରନ୍ କରିଥିଲେ । ସେହିପରି ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୪୦, ୧୫୭ (ନଟ୍ ଆଉଟ୍) ଓ ୧୦୭ ରନ୍ ବନାଇଥିଲେ ।

୭. ଗୋଟିଏ ବର୍ଷରେ ICC ବାର୍ଷିକ ବ୍ୟକ୍ତିଗତ ପୁରସ୍କାର ଜିତିଥିବା ଏକମାତ୍ର କ୍ରିକେଟର ହେଉଛନ୍ତି ବିରାଟ । ୨୦୧୮ରେ କୋହଲିଙ୍କୁ ସାର ଗାରଫିଲ୍ଡ ସୋବର୍ସ ଟ୍ରଫି, ଆଇସିସି ଟେଷ୍ଟ ଓ ଓ୍ବାନଡେ ପ୍ଲେୟାର ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୮. ବର୍ତ୍ତମାନ ସୁଦ୍ଧା କୌଣସି କ୍ୟାଲେଣ୍ଡର ଇୟରରେ କୋହଲି ୮ ଥର ୧୦୦୦ରୁ ଅଧିକ ରନ୍ କରିସାରିଛନ୍ତି । ଏହି କରିସ୍ମା କରିବାର ସେ ହେଉଛନ୍ତି ଏକମାତ୍ର ଖେଳାଳି । ୨୦୧୧ରୁ ୨୦୧୪, ୨୦୧୭ରୁ ୨୦୧୯ ଏବଂ ୨୦୨୩ରେ ସେ ଏହି ରେକର୍ଡ କରିଛନ୍ତି ।

୯. ୨୦୧୯ ବିଶ୍ବକପ ସେମିଫାଇନାଲ ହାରି ଭାରତ ବାହାର ହେବା ପରେ ବି ବିରାଟ କୋହଲି ଏହି ବିଶ୍ବକପରେ ଲଗାତାର ୫ଟି ଅର୍ଦ୍ଧ ଶତକ ମାରିଥିବା ଏକମାତ୍ର ଅଧିନାୟକ ଥିଲେ ।

୧୦. ବିରାଟ ହେଉଛନ୍ତି ଏକାମାତ୍ର ଟେଷ୍ଟ ଅଧିନାୟକ ଯିଏ କ୍ରମାଗତ ୩ଟି କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଅଧିକ ରନ୍ ବନାଇଛନ୍ତି । ୨୦୧୬ରେ ୧୫୧୫ ରନ, ୨୦୧୭ରେ ୧୦୫୯ ରନ୍ ଓ ୨୦୧୮ରେ ୧୩୨୨ ରନ୍ କରିଛନ୍ତି ।

୧୧. ଟେଷ୍ଟ କ୍ରିକେଟ ଅଧିନାୟକ ଭାବେ ସର୍ବାଧିକ ଦ୍ବିଶତକ ରେକର୍ଡ ତାଙ୍କ ନାଁରେ ରହିଛି । ତାଙ୍କ ନାଁରେ ୭ଟି ଦ୍ବିଶତକ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ବ୍ରାୟନ ଲାରା । ସେ ୫ ଦ୍ବିଶତକ ହାସଲ କରିଛନ୍ତି ।

୧୨. IPLରେ ଗୋଟିଏ ସିଜିନରେ ସର୍ବାଧିକ ରନ୍ ରେକର୍ଡ କୋହଲିଙ୍କ ନାଁରେ ରହିଛି । ୨୦୧୬ ଆଇପିଏଲ ସିଜନରେ ସେ ୯୭୩ ରନ୍ କରିଥିଲେ ।

୧୩. ଅଧିନାୟକ ଭାବେ ଦ୍ରୁତ ୩ ହଜାର ରନ ରେକର୍ଡ ବିରାଟ ହାସଲ କରିଛନ୍ତି । ୪୯ ମ୍ୟାଚରେ ସେ ଏହି ରେକର୍ଡ କରିଚନ୍ତି । ଏହି କ୍ରମରେ ଏବି ଡିବିଲିୟର୍ସ ଏବଂ ଏମଏସ ଧୋନୀଙ୍କୁ ପଛରେ ପକାଇଛନ୍ତି ।

୧୪. ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୋହଲି ୧୧ଟି ଶତକ ହାସଲ କରିଛନ୍ତି । ତାଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର ଅଛନ୍ତି । ସଚିନ ୧୯୯୮ରେ ୧୨ଟି ଶତକ ହାସଲ କରିଥିଲେ । ୨୦୧୮ରେ କୋହଲି ୧୧ଟି ଶତକ ବନାଇଥିଲେ ।

୧୫. ଓ୍ବେଷ୍ଟଇଣ୍ଡିଜରେ ଭାରତୀୟ ଅଧିନାୟକ ଭାବେ ବିରାଟଙ୍କ ପାଖରେ ସର୍ବାଧିକ ରନ୍ କରିବାର ରେକର୍ଡ ରହିଛି । ୨୦୧୯ରେ ୧୨୫ ବଲ ଖେଳି ସେ ୧୨୦ ରନ୍ ସ୍କୋର କରିଥିଲେ ।

୧୬. ୨୦୧୮ରେ ଦ୍ରୁତ ୪ ହଜାର ଟେଷ୍ଟ ରନ୍ କରିବା ରେକର୍ଡ ତାଙ୍କ ନାଁରେ ରହିଛି । ୬୫ତମ ମ୍ୟାଚରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ । ୭୧ ମ୍ୟାଚ ଖେଳି ଲାରା ତାଙ୍କ ପୂର୍ବରୁ ଏହି ରେକର୍ଡ କରିଥିଲେ ।

୧୭. ଭାରତରେ ଆଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ରେକର୍ଡ କୋହଲିଙ୍କ ନାଁରେ ରହିଛି । କଙ୍ଗାରୁ ବିପକ୍ଷରେ ସେ ୮ଟି ଶତକ ହାସଲ କରିଛନ୍ତି । ଏଥିରୁ ୫ଟି ଭାରତ ମାଟିରେ ସେ ମାରିଛନ୍ତି ।

୧୮. ୩୦ ଓ ୩୫ ଦିନିକିଆ ଶତକ ହାସଲ କରିଥିବା ଦ୍ରୁତ କ୍ରିକେଟର ରେକର୍ଡ ତାଙ୍କ ନାଁରେ ରହିଛି । ୧୮୬ ମ୍ୟାଚରେ ୩୦ ଶତକ କରିଥିବା ବେଳେ ୨୬୭ ମ୍ୟାଚରେ ସଚିନ ଏହି ରେକର୍ଡ କରିଥିଲେ । ୨୦୦ ମ୍ୟାଚରେ ତାଙ୍କ ୩୫ତମ ଶତକ ଆସିଥିଲା ।

୧୯. ଟି-୨୦ରେ ରନ୍ ଚେଜ କରିବା ବେଳେ ଭାରତୀୟ ଭାବେ ସର୍ବାଧିକ ରନ୍ କୋହଲି କରିଛନ୍ତି । ଲକ୍ଷ୍ୟର ପିଛା କରିବା ବେଳେ ୫୦ଟି ଟି-୨୦ରେ ସେ ୧୯୮୩ ରନ୍ କରିଛନ୍ତି ।

୨୦. ଦିନିକିଆରେ ଅଧିନାୟକ ଭାବେ କୋହଲି ଲଗାତାର ୩ଟି ଶତକ ହାସଲ କରିଥିବା ଏକମାତ୍ର ଖେଳାଳି ।

୨୧. ୩୫୦ ଓ ତା’ଠୁ ଅଧିକ ରନର ପିଛା କରିବାରେ କୋହଲିଙ୍କ ଦମଦାର ରେକର୍ଡ ରହିଛି । ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚରେ ୩୫୦ ରନର ପିଛା କରି ଭାରତ ସଫଳ ହୋଇଥିବା ବେଳେ କୋହଲି ୩ଟି ଶତକ ମାରିଛନ୍ତି ।

୨୨. ୨୦୧୧ ଟି-୨୦ ମ୍ୟାଚରେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେବିନ ପିଟରସନଙ୍କୁ ଆଉଟ କରିଥିଲେ । ବଲ ଓ୍ବାଇଡ ହୋଇଥିଲେ ବି ଧୋନୀ ପିଟରସନଙ୍କୁ ଷ୍ଟମ୍ପ ଆଉଟ କରିଥିଲେ ।

୨୩. ୨୦୧୧ ବିଶ୍ବକପରେ କୋହଲି ପଦାର୍ପଣ କରିଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଶତକ କରିଥିଲେ । ବିଶ୍ବକପର ପ୍ରଥମ ମ୍ୟାଚରେ ଶତକ ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ ଖେଳାଳି ।

୨୪. ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଭାରତୀୟ ଭାବେ ସେ ଶତକ ହାସଲ କରିଛନ୍ତି । ୨୦୧୫ ବିଶ୍ବକପରେ ସେ ୧୦୭ ରନ୍ କରିଥିଲେ ।

୨୫. ଦ୍ବିପାକ୍ଷିକ ସିରିଜରେ ସର୍ବାଧିକ ରନ୍ ବନାଇବା ରେକର୍ଡ କୋହଲିଙ୍କ ନାଁରେ ରହିଛି । ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ଟି ମ୍ୟାଚରୁ ୫୫୮ ରନ୍ କରିଥିଲେ ।

୨୬. ICC ଦ୍ବିପାକ୍ଷିକ ସିରିଜରେ ୫୦୦ ରନ୍ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ହେଉଛନ୍ତି କୋହଲି ।

୨୭. IPLର ଏକ ସଂସ୍କରଣରେ ସର୍ବାଧିକ ଶତକ କରିବାରେ ଯୁଗ୍ମ ଭାବେ ଏକ ନମ୍ବରରେ ଅଛନ୍ତି କୋହଲି । ୨୦୧୬ରେ ଆରସିବି ଅଧିନାୟକ ଥିବା ବେଳେ ୪ଟି ଶତକ ମାରିଥିଲେ ।

୨୮. ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ଫଲୋଅନ୍ ଦେଇଥିବା ପ୍ରଥମ ଅଧିନାୟକ । ଭାରତୀୟ ଅଧିନାୟକ ଭାବେ ୮ ଥର ଫଲୋଅନ୍ ଦେଇଥିବା ବେଳେ ଆଝାରୁଦ୍ଧିନ ୭ ଥର ଫଲୋଅନ୍ ଦେଇଥିଲେ ।

୨୯. ଅଧିନାୟକ ଭାବେ ଟେଷ୍ଟରେ ସର୍ବାଧିକ ୧୫୦ରୁ ଅଧିକ ରନ୍ କରିବାର ରେକର୍ଡ କୋହଲିଙ୍କ ପାଖରେ ରହିଛି । ୯ ଥର ସେ ୧୫୦ରୁ ଅଧିକ ରନ୍ କରିଛନ୍ତି । ସାର୍ ଡୋନାଲ୍ଡ ବ୍ରାଡମ୍ୟାନ ୮ ଥର ଏହି କୃତିତ୍ବ ହାସଲ କରିଥିଲେ ।

୩୦. ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ କୋହଲି ଟେଷ୍ଟ କ୍ରିକେଟରେ ସର୍ବାଧିକ ଦ୍ବିଶତକ ହାସଲ କରିଛନ୍ତି । ୧୧ ଟେଷ୍ଟରୁ ୭ଟି ଦ୍ବିଶତକ ହାସଲ କରିଛନ୍ତି । ତାଙ୍କ ପଛକୁ ଉଭୟ ସଚିନ ଓ ସେହଓ୍ବାଗ ୬ଟି ଲେଖାଏଁ ଦ୍ବିଶତ ହାସଲ କରିଛନ୍ତି ।

୩୧. ଦିନିକିଆରେ କୋହଲି ଦ୍ରୁତଗତିରେ ୮ ହଜାର, ୯ ହଜାର, ୧୦ ହଜାର, ୧୧ ହଜାର ୧୨ ହଜାର ଓ ୧୩ ହଜାର ରନ୍ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ।

୩୨. ଟେଷ୍ଟ କ୍ରିକେଟ ଇତିହାସରେ କ୍ରମାଗତ ୪ଟି ସିରିଜରେ ୪ଟି ଦ୍ବିଶତକ ହାସଲ କରିଥିବା ଏକମାତ୍ର ଖେଳାଳି ।

୩୩. ଟି-୨୦ ବିଶ୍ବକପ ଇତିହାସରେ ସର୍ବାଧିକ ରନ୍ କରିଥିବା ଖେଳାଳି ହେଉଛନ୍ତି କୋହଲି । ଟି-୨୦ ବିଶ୍ବକପରେ ୨୭ଟି ମ୍ୟାଚ୍ ଖେଳି ୧୧୪୧ ରନ୍ କରିଛନ୍ତି ।

୩୪. ଟି-୨୦ ଇଣ୍ଟରନ୍ୟାସନାଲରେ କୋହଲି ସର୍ବାଧିକ ରନ୍ କରିଥିବା ଖେଳାଳି । ୧୧୫ ମ୍ୟାଚ ଖେଳିଥିବା ବେଳେ ୧୦୭ଟିରେ ବ୍ୟାଟିଂ କରି ୪୦୦୮ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୭ଟି ଅର୍ଦ୍ଧଶତକ ରହିଛି ।

୩୫. ଟି-୨୦ରେ ସର୍ବାଧିକ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ରେକର୍ଡ କୋହଲିଙ୍କ ନାଁରେ ରହିଛି । ୧୫ ଥର ତାଙ୍କୁ ଏହି ସମ୍ମାନ ମିଳିଛି ।