ଫଲୋଅନ ଏଡ଼ାଇଲେ ଆକାଶ ଦୀପ- ବୁମରା, ଏମିତି ଖୁସି ମନାଇଲେ ବିରାଟ- ଗମ୍ଭୀର
1 min readନନ୍ଦିଘୋଷ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ତୃତୀୟ ଟେଷ୍ଟ । ୧-୧ରେ ସିରିଜ ବରାବର ରହିଛି । ତୃତୀୟ ମ୍ୟାଚରେ ବିଜୟୀ ହୋଇ ଆଗୁଆ ରହିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ଯେଉଁ କାରଣରୁ ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୪୫ ସଂଗ୍ରହ କରିଛି । ଭାରତ ନିଜର ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଛି । ତେବେ ଦଳର ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଖରାପ ପ୍ରଦର୍ଶନ କରି ଆଉଟ୍ ହୋଇଥିବାବେଳେ ଲାଗୁଥିଲା କି, ଭାରତକୁ ଫଲୋଅନ ହେବାକୁ ପଡ଼ିବ । ମାତ୍ର ଏହାକୁ ଏଡ଼ାଇବାରେ ସକ୍ଷମ ହୋଇଛନ୍ତି ବୁମରା ଏବଂ ଆକାଶ ଦୀପ । ଏହି ଦୁଇ ବୋଲର ଦକ୍ଷିଣାତ୍ମକ ଢ଼ଙ୍ଗରେ ଖେଳିବା ସହ ଦଳର ସମ୍ମାନ ରକ୍ଷା କରିଛନ୍ତି । ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ଭାରତ ୯ ଓ୍ବିକେଟ ବିନିମୟରେ ୨୫୨ ରନ କରିବାରେ ସକ୍ଷମ ହୋଇଛି । ଅନ୍ତିମ ଦିନରେ ବୁମରା ଏବଂ ଆକାଶ ଦୀପ ଭାରତ ପକ୍ଷରୁ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବେ ।
ଭାରତ ୨୪୫ ରନ କରିପାରିନଥିଲେ ଫଲୋଅନ ହୋଇଥାନ୍ତା । ମାତ୍ର ବୁମରା ଏବଂ ଆକାଶ ଦୀପଙ୍କ ଯୋଡ଼ ୩୯ ରନର ପାର୍ଟନରସିପ କରିଛନ୍ତି । ୫୪ ବଲରୁ ଏହି ଦୁଇ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ୧୩ ବର୍ଷ ପରେ ଭାରତ ପୁଣିଥରେ ଫଲୋଅନ ହେବାକୁ ଯାଉଥିଲା । ୨୦୧୧ ମସିହାରେ ଭାରତ ଇଂଲଣ୍ଡ ବିପକ୍ଷରେ ଫଲୋଅନ ହୋଇଥିଲା । ଚତୁର୍ଥ ଦିନର ଶେଷ ଓଭରରେ ଅଷ୍ଟ୍ରେଲିୟ ଅଧିନାୟକ ପାଟ କମିନ୍ସ ବୋଲିଂ କରିଥିଲେ । ଦିନର ଅନ୍ତିମ ଓଭରରେ ଆକାଶ ଦୀପ ତାଙ୍କୁ ୪ଟି ଚୌକା ମାରିଥିଲେ । ଆଉ ଦଳୀୟ ସ୍କୋର ୨୪୫ ପାର ହୋଇଥିଲା । ଏହା ଦେଖିବା ପରେ ପାଭିଲିୟନରେ ପଶିଥିବା ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ବେଶ ଖୁସି ହୋଇଥିଲେ । କ୍ୟାମେରା ସେମାନଙ୍କ ଉପରେ ରହିଥିଲା । ଆକାଶ ଦୀପ ଏକ ସୁନ୍ଦର ଛକା ମଧ୍ୟ ମାରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ବିରାଟ ଖୁସି ମନାଇଥିଲେ ।