କରୋଲି ଦଙ୍ଗାର ଭିଡିଓ ଭାଇରାଲ୍: ପୋଲିସ କହୁଛି, ଗାଡ଼ି ତ ପୋଡ଼ିଲ ଏଥର ଘରକୁ ଯାଅ

1 min read
Viral Video Of Karauli Violence Police Rioters

ଜୟପୁର: କରୋଲି ଦଙ୍ଗାକୁ ୬ ଦିନ ବିତିଲାଣି । ଲୋକ ଏବେବି ଘରେ ବନ୍ଦ ହୋଇ ରହିଛନ୍ତି । କ୍ଷୀର-ପରିବା ଭଳି ସାମଗ୍ରୀ ଲୋକଙ୍କ ପାଇଁ ଦୁର୍ଲଭ ପାଲଟି ଯାଇଛି । କରୋଲିର ଗହଳି ଗଳି ଏବେ ଜନଶୂନ୍ୟ ହୋଇ ପଡ଼ିଛି । ଅଞ୍ଚଳରେ ଇଣ୍ଟରନେଟ୍ ସେବାକ ବନ୍ଦ କରି ଦିଆଯାଇଛି ।

Viral Video Of Karauli Violence Police Rioters

ଦଙ୍ଗା ନିଆଁ ଥମୁଥିବା ବେଳେ ସାମ୍ନାକୁ ଆସିଛି ଭାଇରାଲ୍ ଭିଡିଓ । ଭିଡିଓରେ ଦଙ୍ଗାକାରୀ ପଥର ଫିଙ୍ଗୁଛନ୍ତି, ଦୋକାନ ଜାଳି ଦେଉଛନ୍ତି, ଲୋକଙ୍କ ବାଡ଼ିରେ ପିଟୁଛନ୍ତି । କିନ୍ତୁ ପୋଲିସ ଦେଖଣାହାରୀ ସାଜି ଛିଡ଼ା ହୋଇଛି । ଏପରିକି ମୋବାଇଲରେ ଭିଡିଓ ରେକର୍ଡ କରୁଛନ୍ତି । ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ପୋଲିସ ଆଦୌ ପ୍ରୟାସ କରୁନଥିବା ଭାଇରାଲ୍ ଭିଡିଓରେ ଦେଖା ଯାଉଛି ।

ଆଉ ଏକ ଭିଡିଓରେ ଦେଖାଯାଉଛି ପଥର ମାଡ଼ ପରେ ବାଡ଼ି ଧରି ଲୋକ ରାସ୍ତାରେ ବୁଲୁଛନ୍ତି । ଗାଡ଼ି ଭାଙ୍ଗୁଛନ୍ତି । ପୋଲିସ ଉପସ୍ଥିତିରେ ଲୋକଙ୍କୁ ବାଡ଼ିରେ ପିଟା ଯାଉଛି । ପୋଲିସ କହୁଛି- ଠିକ୍ ଅଛି । ଗାଡ଼ି ଭାଙ୍ଗିଦେଲ, ଏବେ ପଳାଇ ଯାଅ, ଯାଅ ନହେଲେ ଦଙ୍ଗା ହୋଇଯିବ । ହୋଇଗଲା… ହୋଇଗଲା… ଆରାମରେ ଘରକୁ ଯାଅ । ଆଉ ଭିଡିଓରେ ନାବାଳକ ଛୁଆଙ୍କ ଠାରୁ ନେଇ ବୟସ୍କ ନଜର ଆସୁଛନ୍ତି ।

Viral Video Of Karauli Violence Police Rioters

ପଥର ମାଡ଼ ପୋଲିସ ଉପସ୍ଥିତିରେ ଦଙ୍ଗାକାରୀ ଦୋକାନ ମଧ୍ୟ ଜାଳି ଦେଇଛନ୍ତି । ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କେବଳ ଔପଚାରିକତା ରକ୍ଷା କରୁଥିବା ଭିଡିଓରେ ଦେଖା ଯାଉଛି । ଫଳରେ ଗୋଟିଏ ଘର, ୩୫ଟି ଦୋକାନ ଓ ୩୦ରୁ ଅଧିକ ବାଇକ୍ ପୋଡ଼ି ଦେଇଛନ୍ତି ଦଙ୍ଗାକାରୀ । ୬ ଦିନ ଧରି କରୋଲିରେ କର୍ଫ୍ୟୁ ଲାଗିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି ।