୫ଶହ ଟଙ୍କାରେ ମିଳୁଛି ଜାତିଗତ ପ୍ରମାଣ ପତ୍ର, ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ୫୦୦ ଟଙ୍କା ଦିଅ, ଜାତିଗତ ପ୍ରମାଣ ପତ୍ର ନିଅ । ଆରଆଇର ମୁଣ୍ଡ କଣ 200 ଟଙ୍କା ନା। ଗୋଟେ ସରକାରୀ ଅଫିସରର କଣ ମୁଣ୍ଡ 200 ଟଙ୍କା କି। କାମ ନେବ, ହେଲେ 200 ଟଙ୍କା ଦେବ। ଏମିତି କିଛି କହୁଛନ୍ତି ଧାମନଗର ତହସିଲ ଅଧିନ ଦଳାଙ୍ଗ ରାଜସ୍ବ ମଣ୍ଡଳର ରାଜସ୍ବ ନିରୀକ୍ଷକ ତାପସ ଜେନା । ଲାଞ୍ଚ ମାଗିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଦଳାଙ୍ଗ ରାଜସ୍ବ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅର ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ବାରମ୍ବାର ତହସିଲ ଅଫିସ ଓ ଆରଆଇ ଅଫିସ ଦୌଡ଼ିଥିଲେ ବି କାମ ହେଲା ନାହିଁ।

ତହସିଲ ଅଫିସରେ ତାଙ୍କୁ କୁହାଗଲା ଆରଆଇ ଏଯାଏ ପଠାଇ ନାହାନ୍ତି। ପୁଣି ସେ ଆରଆଇ ଅଫିସକୁ ଆସିଲେ। ଆରଆଇ ଅଫିସରେ ପହଞ୍ଚିବା ପରେ ରାଜସ୍ୱ ନିରୀକ୍ଷକ ତାପସ ଜେନା ତାଙ୍କୁ ସାର୍ଟିଫିକେଟ୍ ବାବଦକୁ 500 ଟଙ୍କା ମାଗିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ମାତ୍ର 200 ଟଙ୍କା ଦେବାକୁ କହିଥିଲେ। ହେଲେ ଆରଆଇ ଏଥିରେ ରାଜି ହୋଇନଥିଲେ। ସଂପୃକ୍ତ ବ୍ୟକ୍ତି 500 ଟଙ୍କା ଦେବାରୁ ସେ ତାଙ୍କ ଜାତିଗତ ପ୍ରମାଣପତ୍ର ତହସିଲଦାରଙ୍କ ନିକଟକୁ ଫରୱାର୍ଡ କରିଥିବା ସୂଚନା ମିଳିଛି । ତେବେ ଏନେଇ ରାଜସ୍ବ ନିରୀକ୍ଷକ ତାପସ ଜେନା କିମ୍ବା ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।