‘ହାରିବା ଭୟ, ହିଂସ୍ର ହେଉଛି ବିଜେପି’
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ନିର୍ବାଚନୀ ହିଂସାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ରାଜ୍ୟର ଅନେକ ସ୍ଥାନରେ ବିଜେପିର ହିଂସ୍ର ଆଚରଣ ଓ ଉଚ୍ଚାରଣ ଦେଖିବାକୁ ମିଳିଛି । ଅବିଭକ୍ତ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ଆକ୍ରାମକ ଆଚରଣ ପାଇଁ ତାଙ୍କୁ ପ୍ରଚାରରୁ ବାଦ୍ ଦେବାକୁ କମିଶନଙ୍କ ନିକଟରେ ଦାବି କରିଛି ବିଜେଡି । ସେହିଭଳି ଗଜପତି, ପିପିଲିରେ ହୋଇଥିବା ହିଂସାକାଣ୍ଡର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଦାବି ହୋଇଛି ।
ପୁରୀ, ଢେଙ୍କାନାଳ, ଅନୁଗୁଳ, ଡେଲାଙ୍ଗ, କଣାସରେ ମଧ୍ୟ ନିର୍ବାଚନ ସମୟରେ ହିଂସାକାଣ୍ଡ ଦେଖାଯାଇଛି । ବିଜେପି ହାରିବା ଭୟରେ ହିଂସାକାଣ୍ଡ ଘଟାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଓଡ଼ିଶାର ଜନସାଧାରଣ ପୂର୍ବରୁ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଉ ଏବେ ମଧ୍ୟ କରୁଛନ୍ତି । ଏଣୁ ପରାଜୟକୁ ଡରି ବିଜେପି ପ୍ରଳାପ କରୁଥିବା ଅଭିଯୋଗ କରିଛି ବିଜେଡି ।