ହରିଆଣାରେ ହିଂସା ପରେ ଘରମୁହାଁ ପ୍ରବାସୀ ଶ୍ରମିକ

ଚଣ୍ଡିଗଡ଼: ହିଂସା ପରେ ପଳାୟନ । ହରିଆଣାରେ ହିଂସା ପରେ ଘରମୁହାଁ ପ୍ରବାସୀ ଶ୍ରମିକ । ନୁହ, ଗୁରୁଗ୍ରାମରେ ଭୟର ବାତାବରଣ ଯୋଗୁ ଘରକୁ ଫେରୁଛନ୍ତି ପ୍ରବାସୀ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ପଳାୟନ ପାଇଁ ଧମକ ଦିଆଯାଉଛି । ଗୁରୁଗ୍ରାମରେ ରହୁଥିବା କୋଲକାତାର ପ୍ରାୟ ଶହେ ପରିବାରରୁ ଏବେ ମାତ୍ର ୧୫ ପରିବାର ରହିଛନ୍ତି । ହିଂସା ପରେ ଏଠି ରହିବାକୁ ଡର ଲାଗୁଛି । ସହର ଛାଡ଼ିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ନୁହ ଓ ଗୁରୁଗ୍ରାମରେ ରହୁଥିବା ପ୍ରବାସୀ କହିଛନ୍ତି । ଗୁରଗ୍ରାମ ସେକ୍ଟର ୭୦ର ଏକ ବସ୍ତିରେ ରହୁଥିବା ଲୋକଙ୍କୁ ଧମକ ଦିଆଯାଉଛି । ଘରେ ନିଆଁ ଲଗାଇଦେବାକୁ ଚେତାବନୀ ଦିଆଯାଇଛି । ଜିଲ୍ଲାରେ କର୍ଫ୍ୟୁ ଲାଗିଥିବା ବେଳେ ଚାଲି ଚାଲି ଘରକୁ ଫେରୁଛନ୍ତି ପ୍ରବାସୀ । ଡ୍ରାଇଭର, ମାଳି, ହାଉସ ହେଲ୍ପ, ବୁଲା ବିକାଳି ଭଳି କାର୍ଯ୍ୟ କରୁଥିବା ଶ୍ରମିକମାନେ ଏବେ ପୈତୃକ ଗାଁକୁ ଫେରୁଛନ୍ତି ।

ମୋନସର, ଟିକଲି, କସାନ, ଆଇଏମଟି ଓ ଅନ୍ୟ କିଛି ସ୍ଥାନରୁ ବି ପଳାୟନ ଆରମ୍ଭ ହୋଇଛି । ଗୁରୁଦ୍ବାର ରୋଡ୍ ଓ ଖାଣ୍ଡସା ମଣ୍ଡିରୁ ବି ଅନେକ ଫଳ ଦୋକାନ ଗାଏବ ହୋଇଯାଇଛି । ଗୁରୁଗ୍ରାମ ଜାମା ମସଜିଦ୍ ପାର୍ଶ୍ବ ଏରିଆ ଶୂନଶାନ ରହିଛି । ଅନେକ ମାଂସ ଦୋକାନ ସହ ଅଧିକାଂଶ ଦୋକାନ ବନ୍ଦ ରହିଥିବା ଦେକାଯାଇଛି । ସେପଟେ ହିଂସା ସ୍ଥିତିରେ ସୁଧାର ଲାଗି ଏବେ ବି କିଛିସ୍ଥାନରେ କର୍ଫ୍ୟୁ ଓ ୧୪୪ ଧାରା ଲାଗୁ କରାଯାଇଛି ।