ମଣିପୁର ଅଶାନ୍ତ: ଇମ୍ଫାଲରେ ନିରାପତ୍ତାରକ୍ଷୀ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି

ନନ୍ଦିଘୋଷ ବ୍ୟୁରୋ: ପୁଣି ଅଶାନ୍ତ ମଣିପୁର । ଇମ୍ଫାଲରେ ନିରାପତ୍ତାରକ୍ଷୀ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି । ରାଜଭବନ ଅଭିମୁଖେ ଆନ୍ଦୋଳନକାରୀ ଯିବାବେଳେ ଧସ୍ତାଧସ୍ତି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରୟୋଗ କରିଛି ଲୁହବୁହା ଗ୍ୟାସ ।

ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ଏକ ବିବୃତିକୁ ବିରୋଧ କରି ତାତିଛନ୍ତି ମେତେଇ । ଏପରିକି ରାଜ୍ୟପାଳ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ମେତେଇ । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଆଲୋଚନା ଲାଗି ମେତେଇଙ୍କ ଟିମ ନୂଆଦିଲ୍ଲୀ ଯିବେ । ଆସନ୍ତା ୨୭ରେ ଏ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ ଶିରୁଇ ଲିଲି ଉତ୍ସବର ଖବର ପ୍ରସାରଣ ଲାଗି ଏକ ବସରେ କିଛି ସାମ୍ବାଦିକ ଉଖରୁଲକୁ ଯାଉଥିଲେ । ତେବେ ସେହି ବସରେ ଲେଖାଥିବା ମଣିପୁର ଷ୍ଟେଟ ଟ୍ରାନ୍ସପୋର୍ଟକୁ ଲୁଚାଇ ଦେବା ଲାଗି ନିରାପତ୍ତାରକ୍ଷୀ ପରାମର୍ଶ ଦେଇଥିଲେ । ମେତେଇ ଅଭିଯୋଗ ହେଲା ଯେ, ଏହି ନିର୍ଦ୍ଦେଶ ମଣିପୁରର ପରିଚୟ, ସ୍ବାଭିମାନ ଓ ଆତ୍ମମର୍ଯ୍ୟାଦା ଉପରେ ଆଘାତ ଆଣିଛି । ଉତ୍ତ୍ୟକ୍ତ ଲୋକମାନେ ରାଜଭବନ ଅଭିମୁଖେ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଶିରୁଇ ଉତ୍ସବରେ ସାମିଲ ହୋଇଥିବା ମେତେଇଙ୍କୁ କୁକୀ ନେତା ଧମକ ଦେବା ପରେ ତାଙ୍କ ନାଁରେ ଏତଲା ଦାୟର ହୋଇଛି । ପୋଲିସ ଓ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତିରେ ୫ ଜଣ ଆହତ ହୋଇଛନ୍ତି । ଗତ ଶନିବାର ମଣିପୁର ଛାତ୍ର ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ମାନବ ଶୃଙ୍ଖଳ।