ଟ୍ରକ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତେଜନା, ପୋଲିସ ଗାଡ଼ି ଓ ବାଇକରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

କୋଲକାତା: ଟ୍ରକ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତେଜନା । ବସ୍, ପୋଲିସ ଗାଡ଼ି, ବାଇକ ଭଙ୍ଗାରୁଜା ସହ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଘଟଣା ଘଟିଛି କୋଲକାତା ବେହଲା ଅଞ୍ଚଳରେ । ସ୍କୁଲ ସାମ୍ନାରେ ପୁଅକୁ ରାସ୍ତା ପାର କରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ବର୍ଷର ପୁଅର ମୃତ୍ୟୁ ଘଟିଥିଲା । ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣାସ୍ଥଳରେ ପୋଲିସ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ବହୁ ଗାଡ଼ି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଏହାସହ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ପୋଲିସ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲାଠି ଚାଳନା କରିବା ସହ ଲୁହ ବୁହା ଗ୍ୟାସ ମାଡ଼ କରିଛି । ଏକାଧିକ ବିକ୍ଷୋଭକାରୀଙ୍କ ସହ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।