ନୂଆ ପେନସନ ଆଇନକୁ ବିରୋଧ, ରାଜଧାନୀ ପ୍ୟାରିସରେ ଉଗ୍ର ପ୍ରଦର୍ଶନ ଓ ପୋଡ଼ାଜଳା

ପ୍ୟାରିସ: ସପ୍ତାହେ ଧରି ଜଳୁଛି ଫ୍ରାନ୍ସ । ନୂଆ ପେନସନ ଆଇନକୁ ବିରୋଧ କରି ଫ୍ରାନ୍ସରେ ଉଗ୍ର ହେଉଛି ଗଣବିକ୍ଷୋଭ । ନୂଆ ପେନସନ୍ ଆଇନକୁ ବିରୋଧ କରି ୩୫ ଲକ୍ଷରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି । ରାଜଧାନୀ ପ୍ୟାରିସରେ ୮ ଲକ୍ଷ ଲୋକ ଏକାଠି ହୋଇ ସରକାର ବିପକ୍ଷରେ ପ୍ରଦର୍ଶନ କରିଛନ୍ତି । ପେନସନ୍ ବିଲ ଓ ରାଷ୍ଟ୍ରପତି ମାକ୍ରନଙ୍କ ବିରୋଧରେ ପୋଷ୍ଟର, ପ୍ଲାକାର୍ଡ ଧରି ପ୍ରଦର୍ଶନ ଜାରି ରହିଛି । ଗତ ସପ୍ତାହେରୁ ଅଧିକ ସମୟ ଧରି ସଡ଼କରେ ହିଂସା ଜାରି ରହିଥିବା ବେଳେ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ଲୁହ ବୁହା ଗ୍ୟାସ ମାଡ଼ କରିଛି ।

ନିକଟରେ ଫ୍ରାନ୍ସ ସରକାର ଅବସର ବୟସ ୬୨ ବର୍ଷରୁ ୬୪ ବର୍ଷକୁ ବୃଦ୍ଧି କରିଛନ୍ତି । ୧୬ ମାର୍ଚ୍ଚରେ ନ୍ୟାସନାଲ ଆସେମ୍ବଲୀରେ ଏ ସମ୍ପର୍କିତ ବିଲ ପାସ୍ ହୋଇଥିଲା । ସାମ୍ବିଧାନିକ ଶକ୍ତିର ବ୍ୟବହାର କରି ବିନା ଭୋଟିଂରେ ପ୍ରଧାନମନ୍ତ୍ରୀ ବିଲ୍ ପାସ୍ କରିଦେଇଥିଲେ । ଯାହାକୁ ବିରୋଧ କରି ଦେଶବ୍ୟାପୀ ବିରୋଧ ଜାରି ରହିଥିବା ବେଳେ ଅନେକ ପୋଲିସ କର୍ମୀ ଓ ବିକ୍ଷୋଭକାରୀ ଆହତ ହୋଇଛନ୍ତି ।