ଛାତି ଥରାଇ ଦେଉଛି ମହିଳା ବିରୋଧୀ ହିଂସା: ଦୁଷ୍କର୍ମକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡ଼ିଶା

1 min read

ଭୁବନେଶ୍ବର: ଛାତି ଥରାଇ ଦେଉଛି ମହିଳା ବିରୋଧୀ ହିଂସା । ଦୁଷ୍କର୍ମକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡ଼ିଶା । ନାବାଳିକାଙ୍କୁ ବି ଛାଡୁନାହାନ୍ତି ନର ପିଶାଚ । ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି ଓଡ଼ିଶା । ଗୋପାଳପୁର ଗଣଦୁଷ୍କର୍ମ ହେଉ ବା ବାଲେଶ୍ଵର ଏଫଏମ୍ କଲେଜ ଘଟଣା ଅଥବା ବଳଙ୍ଗା ନାବାଳିକା ପୋଡି । ତଦନ୍ତରେ ଅଡୁଆ ସୁତାରେ ଛନ୍ଦି ହୋଇ ଅଣନିଶ୍ୱାସୀ ହୋଇପଡିଛି ସରକାର ଓ ଓଡିଶା ପୋଲିସ । ଏସବୁକୁ ନେଇ ପ୍ରଶାସନ ହରଡ଼ଘଣାରେ ପଡିଥିବା ବେଳେ ନାବାଳିକା କ୍ରୀଡ଼ାବିତଙ୍କୁ ଯାଜପୁରରେ ଗଣଦୁଷ୍କର୍ମ, ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପୋଲିସର ପାରିବାପଣିଆ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସାରା ରାଜ୍ୟରେ ଅସୁରକ୍ଷିତ ହୋଇପଡିଛି କ୍ୟାମ୍ପସ । କୁନି ପିଲାଙ୍କ ପ୍ରତି ଅମାନବୀୟ ଆଚରଣ ଓ କର୍ମକ୍ଷେତ୍ରରେ ଅକଥନୀୟ ନିର୍ଯାତନା ଖବର ଓଡ଼ିଶାର ଛବି ଖରାପ କରିଛି । ବିଜେପି ସରକାରର ୧୩ ମାସରେ ୩ ହଜାର ୫୪ ଟି ଦୁଷ୍କର୍ମ ଘଟଣା ଘଟିଛି । ଯାହାକୁ ହିସାବ କଲେ ପ୍ରତ୍ୟେକ ଦିନ ୧୫ଟି ଦୁଷ୍କର୍ମ କେସ ରେଜିଷ୍ଟର ହେଉଛି । ଶାନ୍ତିର ରାଜ୍ୟରେ ଅଶାନ୍ତିର ବାତାବରଣ ଖେଳିଯିବା ପରେ ଓଡିଶା ସମେତ ଦେଶର ୬ ରାଜ୍ୟରେ ଭ୍ରମଣ ସମ୍ପର୍କରେ ସତର୍କତା ସୂଚନା ଦେଇଛି ଆମେରିକା ।

ପୂର୍ବ NCRB ରିପୋର୍ଟ ମୁତାବକ ରାଜ୍ୟରେ ପ୍ରତ୍ୟେକ ଦିନ ୮୬ ଟି ମହିଳା ଅପରାଧ ସମ୍ପର୍କିତ କେସ ଘଟୁଛି । ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧ ଯେପରି, ଦୁଷ୍କର୍ମ, ଅସଦାଚରଣ, ନିର୍ଯାତନାର ଶିକାର ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତି ରେ ଏହାର ସଂଖ୍ୟା ଅଧିକ ବଢିଛି । ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରିବାରେ ସାରା ଓଡ଼ିଶାର ସ୍ଥାନ ଅଷ୍ଟମରେ ରହିଛି । ଏସିଡ ଆକ୍ରମଣ ବଢିଛି । ବର୍ଷକରେ ୫ ହଜାର ୧୭୮ ଜଣଙ୍କୁ ଅପହରଣ କରାଯାଇଛି । ୨୧୫ ଜଣଙ୍କୁ ଅପହରଣ ପରେ ବଳପୂର୍ବକ ବିବାହ କରାଯାଇଛି । ଦୁର୍ବଳ ତଦନ୍ତ, ଥାନାରେ କେସ ରୁଜୁରେ ବିଳମ୍ବ, ବରିଷ୍ଠ ଅଧିକାରୀଙ୍କ ଅପରିପକ୍ଵତା ଏଭଳି ଘଟଣା ବୃଦ୍ଧି କରାଇବାରେ ସହାୟକ ହେଉଥିବା କହିଛନ୍ତି ପୂର୍ବତନ ଡିଜିପି। ତୀର୍ଥ କ୍ଷେତ୍ରକୁ ବି ବାଦ ଦେଇନାହାନ୍ତି ଅପରାଧୀ । ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ୩ ଭଉଣୀଙ୍କୁ ଅସଦାଚରଣ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଘଟଣାରେ ୬ ଜଣ ସଂପୃକ୍ତ ଥିବାବେଳେ ୨ ଜଣଙ୍କୁ ଆଜି ଗିରଫ କରିଛି ପୁରୀ ସଦର ଥାନା ପୋଲିସ ।