ନାଁକୁ ମାତ୍ର ସୁପର ସ୍ପେସିଆଲିଟି ହସ୍ପିଟାଲ, ନାଁ ଆଛନ୍ତି ଅଭିଜ୍ଞ ଡାକ୍ତର ନା ମିଳୁଛି କିଛି ସୁବିଧା

Super Speciality Hospital

ରାଉରକେଲା: ମୋଦିଙ୍କ ପ୍ରତିଶ୍ରୁତି ଅନୁଯାୟୀ ରାଉରକେଲା ଆଇଜିଏଚ୍‌ ମେଡିକାଲ କଲେଜ ହେଲାନି, କିନ୍ତୁ ସୁପର ସ୍ପେଶିଆଲିଟି ହସ୍‌ପିଟାଲ ଉଦ୍‌ଘାଟନର ଦିନକ ପରେ ଦେଖାଗଲା ଉତ୍ତେଜନା । ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଆଶାରେ ଦୂରଦୂରାନ୍ତରୁ ରୋଗୀ ଆସି ହତାଶ ହୋଇଥିବା ଅଭିଯୋଗରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି । ସୋମବାର ନାଗରିକ ସୁରକ୍ଷା କମିଟି ପକ୍ଷରୁ ହସ୍‌ପିଟାଲ ଅନୁଧ୍ୟାନ କରାଯାଇଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ, ଘୋଷଣା ଅନୁସାରେ କୌଣସି ସୁବିଧା ଉପଲବ୍ଧ ନାହିଁ । ଏହାସହ ରୋଗୀଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଚିକିତ୍ସା ଅଭାବ ସହ ୫୦୦ ଟଙ୍କା ଆଦାୟକୁ ଦୂରଦୂରାନ୍ତରରୁ ଆସିଥିବା ଲୋକେ ବିରୋଧ କରିଥିଲେ । ଏହାସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନାଁରେ ନାରାବାଜି କରି ଅସନ୍ତୋଷ ଯାହିର କରିଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ, ଶେଷରେ ପୋଲିସ ଆସିବାକୁ ପଡ଼ିଥିଲା । ଖବରପାଇ ପୋଲିସର ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ।

ସେପଟେ ରାଉରକେଲା ନାଗରିକ ସୁରକ୍ଷା କମିଟି କହିଛି ଏହା କେବଳ ନାଁକୁ ମାତ୍ର ସୁପର ସ୍ପେଶିଆଲିଟି ହସ୍ପିଟାଲ । ଏଠାରେ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ମିଳିନାହିଁ । ଅନ୍ୟ ସୁବିଧା ମଧ୍ୟ ନାହିଁ । ଉଦ୍ଦେଶ୍ୟ ଓ ଘୋଷଣା ସମ୍ପୂର୍ଣ୍ଣ ଫେଲ ବୋଲି ନାଗରିକ ସୁରକ୍ଷା କମିଟି ଅଭିଯୋଗ କରିଛି । ସେପଟେ ପ୍ରଧାନମନ୍ତ୍ରୀ ନିଜ ପ୍ରତିଶ୍ରୁତି ରକ୍ଷା କରି ଶୀଘ୍ର ମେଡିକାଲ କଲେଜ କରିବା ଦାବିରେ ନିଆରା ଢଙ୍ଗରେ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ ହୋଇଛି । ସହରବାସୀ ହଜାର ହଜାର ହଜାର ପୋଷ୍ଟକାର୍ଡରେ ଦାବି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଇବାକୁ ଯୋଜନା ଆରମ୍ଭ କରିଛନ୍ତି । ତେବେ ମେଡିକାଲ କଲେଜ ଦାବିରେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହୋଇପାରେ ବୋଲି ରାଉରକେଲା ନାଗରିକ ସୁରକ୍ଷା କମିଟି ଓ ସହରବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply