ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କଲେ ୭ ବର୍ଷ ଜେଲ,ମୋଦି ସରକାର ଆଣିଲେ ଅଧ୍ୟାଦେଶ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ମୋଦି ସରକାର କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ବୈଠକରେ ବୁଧବାର ଦିନ ଏକ ଅଧ୍ୟାଦେଶ ପାସ କରାଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ଅଧ୍ୟାଦେଶ ଅନୁସାରେ ଆକ୍ରମଣକାରୀଙ୍କୁ ୩ ମାସରୁ ୭ ବର୍ଷ ଜେଲ ହେବ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କ୍ୟାବିନେଟର ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ମହଙ୍ଗା ପଡିବ

ପ୍ରକାଶ ଜାବଡେକର କହିଛନ୍ତି ଯେ, ଅନେକ ସ୍ଥାନରୁ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣର ଖବର ଆସୁଛି । ସରକାର ଏହାକୁ ବରଦାସ୍ତ କରିବେ ନାହିଁ । ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି । ଯାହା ଅନ୍ତର୍ଗତରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ।

ଜାମିନ ନାହିଁ,୭ ବର୍ଷ ଜେଲ

ଏହି ଅଧ୍ୟାଦେଶ ଅନୁସାରେ ମେଡିକାଲ କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଜାମିନ ମିଳିବ ନାହିଁ । ୩୦ ଦିନ ମଧ୍ୟରେ ଏହାର ତଦନ୍ତ ସରିବ । ୧ ବର୍ଷ ମଧ୍ୟରେ ମାମଲା ଉପରେ ରାୟ ଆସିବ । ଅନ୍ୟପକ୍ଷରେ ୩ ମାସରୁ ୫ ବର୍ଷର ଦଣ୍ଡର ପ୍ରାବଧାନ ଏଥିରେ ରହିଛି ।

ଏହାସହ ଗମ୍ଭୀର ମାମଲାରେ ୬ମାସରୁ ୭ ବର୍ଷର ଦଣ୍ଡର ବ୍ୟବସ୍ଥା ରହିଛି । ଗମ୍ଭୀର ମାମଲାରେ ୫୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି ।

ଗାଡି ଭାଙ୍ଗିଲେ ବଜାର ମୁଲ୍ୟର ଦୁଇ ଗୁଣ ଦେବାକୁ ପଡିବ

ଅଧ୍ୟାଦେଶ ଅନୁସାରେ ଯଦି କେହି ସ୍ୱାସ୍ଥ୍ୟକର୍ମୀଙ୍କ ଗାଡି ଭାଙ୍ଗେ ତେବେ ଅଭିଯୁକ୍ତଙ୍କୁ ଏଥିପାଇଁ ଗାଡିର ବଜାର ମୁଲ୍ୟଠାରୁ ଦୁଇଗୁଣ ଟଙ୍କା ଦେବାକୁ ପଡିବ ।

Leave a Reply