ପରିବହନ ନିୟମ ଖୋଲା ଉଲ୍ଲଂଘନ: ଆନ୍ଧ୍ର ନେଉଛି ରାଜସ୍ବ, ଓଡ଼ିଶା ଜଳକା

1 min read

ଗଜପତି: ସୀମାକୁ ନେଇ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଲାଗିଛି ଛକାପଞ୍ଝା । ଆନ୍ଧ୍ୟ ସୀମାନ୍ତ ଗଜପତି ଜିଲ୍ଲା ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିଲେ ବି ଏଠାରେ ଖୋଲାଖୋଲି ପରିବହନ ନିୟମର କରାଯାଉଛି ଉଲ୍ଲଂଘନ । ବିନା ପରମିଟ, ବିନା ଟିକସ, ହାଇ ସିକ୍ୟୁରିଟି ନମ୍ବର ବିନା ପ୍ରାୟ ୭୦ରୁ ଅଧିକ ଗାଡି ଓଡ଼ିଶାରେ ଅବାଧରେ ଚଳାଚଳ କରୁଛି । ଏହାସହ ହଜାର ହଜାର ଆନ୍ଧ୍ର ଗାଡିରେ ନାହିଁ ବିନା ହାଇସିକ୍ୟୁରିଟି ନମ୍ବର । ଏମିତି ସ୍ଥିତିରେ ଆନ୍ଧ୍ର ଟିକସ ପାଉଥିବା ବେଳେ ଓଡ଼ିଶା ସରକାର ହରାଉଛନ୍ତି ରାଜସ୍ଵ ।

ଓଡ଼ିଶା ରାଜପଥରେ ଗଡୁଛି ଆନ୍ଧ୍ର ଗାଡ଼ି । ଓଡ଼ିଶାର ପରମିଟ୍ ଓ ରୋଡ୍ ଟ୍ୟାକ୍ସ ଫାଙ୍କି ଚାଲିଛନ୍ତି ଗାଡ଼ି ମାଲିକ । ଟିକସ ଯାଉଛି ଆନ୍ଧ୍ରକୁ, ରାଜସ୍ଵ ହରାଉଛନ୍ତି ଓଡ଼ିଶା ସରକାର । ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲାରେ ଗଡୁଛି ହାଜାର ହଜାର ଆନ୍ଧ୍ର ପଞ୍ଜିକୃତ ଗାଡ଼ି । ପଞ୍ଜିକରଣ ଆଧାରରେ ଯାନବାହାନର ଚଳାଚଳ ଯୋଗ୍ୟତା ପରଖିବା ସହ ଆଇନ ଉଲ୍ଲଂଘନ ନିୟନ୍ତ୍ରଣ କରିବାକୁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା ରହିଛି । ଏଥିସହ ସ୍ଥିରୀକୃତ ଟିକସ ଓ ଫାଇନ ସରକାରୀ ତହବିଲକୁ ଭରଣ ହେଉଛି । କିନ୍ତୁ ଏଠି ସମ୍ପୂର୍ଣ୍ଣ ଆଇନର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି । ବିନା ହାଇ ସେକ୍ୟୁରିଟି ନମ୍ବରରେ ଚାଲୁଛି ଅଧିକାଂଶ ଗାଡ଼ି । ବିଡ଼ମ୍ବନାର ବିଷୟ ଯେ, ଆନ୍ଧ୍ରରେ ଏନେଇ କୌଣସି କଟକଣା ନଥିବା ବେଳେ ଅବାଧରେ ଓଡ଼ିଶାରେ ଚାଲୁଛି ଆନ୍ଧ୍ର ପଞ୍ଜିକୃତ ଗାଡ଼ି । ଓଡ଼ିଶାର ପରମିଟ ଓ ରୋଡ୍ ଟ୍ୟାକ୍ସ ଫାଙ୍କି ଚାଲିଛନ୍ତି ଗାଡ଼ି ମାଲିକ । ସବୁ ଜାଣି ଚୁପ୍ ବସିଛି ସଡ଼କ ପରିବହନ କର୍ତ୍ତୃପକ୍ଷ ।

ଦୁର୍ଘଟଣା ଓ ଅପରାଧ ରୋକିବାକୁ ମୋଟର ଯାନ ଅଧିନିୟମକୁ କଡ଼ାକଡ଼ି କରାଯାଇଛି । ଓଡ଼ିଶା ରେଜିଷ୍ଟ୍ରେସନ ନମ୍ବର ଥିବା ଗାଡ଼ି ଗୁଡ଼ିକୁ HSRP ସଂଲଗ୍ନ କରିବା ବାଧ୍ୟତାମୂଳକ ନିର୍ଦ୍ଦେଶ ରହିଛି । ନିୟମର ଉଲ୍ଲଂଘନ କଲେ ମୋଟର ଯାନବାହାନ ଅଧିନିୟମ, ଅନୁଯାଇ ଅର୍ଥଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ । ଅନ୍ୟ ରାଜ୍ୟରେ ବ୍ୟବସାୟୀକ ପଞ୍ଜିକୃତ ଗାଡ଼ି ପରମିଟ ଓ ରୋଡ୍ ଟିକସ ନଥିଲେ ଚଳାଚଳ କଲେ ଓଡ଼ିଶା ପଞ୍ଜିକୃତ ଗାଡ଼ିକୁ ଫାଇନ ଭରିବାକୁ ପଡ଼ିବ । ବିଭାଗୀୟ ପକ୍ଷରୁ କଟକଣା ନଥିବାରୁ ଅବାଧରେ ଏଭଳି ଆନ୍ଧ୍ର ପଞ୍ଜିକୃତ ଗାଡ଼ି ଓଡ଼ିଶା ମଧ୍ୟରେ ବିନା ଦ୍ଵିଧାରେ ଚଳପ୍ରଚଳ କରୁଛନ୍ତି । ଯାହାଦ୍ଵାରା ବହୁ ମାତ୍ରାରେ ରାଜସ୍ଵ ହରାଉଛନ୍ତି ଓଡ଼ିଶା ସରକାର । ଅନ୍ୟପକ୍ଷରେ ଅପରାଧିକ କାର୍ଯ୍ୟକଳାପରେ ଏଭଳି ଗାଡ଼ି ବ୍ୟବହାର କରି ଫେରାଇ ହେବାରେ ସଫଳ ହେଉଛନ୍ତି ଅପରାଧୀ । ସୀମାବର୍ତ୍ତୀ ଅଞ୍ଚଳ ହେତୁ ଏହି ସମସ୍ୟା ଉପୁଜୁଛି, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରି ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ  ପ୍ରସନ୍ନ କୁମାର ଦାଶ ।

ସଡ଼କ ସୁରକ୍ଷା ଜୀବନ ରକ୍ଷା, ଆହ୍ବାନ ଏଠି ପ୍ରହସନ ଭଳି ମନେ ହେଉଥିବା ବେଳେ ଦିନକୁ ଦିନ ଦୁର୍ଘଟଣା ପ୍ରବଣ ଜିଲ୍ଲାରେ ପରିଗଣିତ ହେବାରେ ଲାଗିଛି ଗଜପତି । ପରିବହନ ଆଇନର ଉଲ୍ଲଂଘନ ଓ ବେପରୁଆ ଗାଡ଼ି ଚାଳନା ଉପରେ ରୋକ୍ ଲଗାଯିବାର ଅବଶ୍ୟକତା ରହିଛି ।