ମଦ ନିଶାରେ ସ୍ତ୍ରୀକୁ ପିଟୁଥିଲେ ବିନୋଦ କାମ୍ବଲି, ଥାନାକୁ ଗଲା ମାମଲା

ମୁମ୍ବାଇ: ଅଡୁଆରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ସ୍ତ୍ରୀ ଏଣ୍ଡ୍ରିୟା କାମ୍ବଲିଙ୍କୁ ପିଟିଥିବା ନେଇ ଥାନାରେ ଅଭିଯୋଗ । ପତ୍ନୀଙ୍କ ଅଭିଯୋଗ ପରେ ବିନୋଦଙ୍କ ବିରୋଧରେ ମାମଲା ରୁଜୁ ।

ବାନ୍ଦ୍ରା ଓ୍ବେଷ୍ଟସ୍ଥିତ ଫ୍ଲାଟରେ ଗତ ଶୁକ୍ରବାର ମଦ ପିଇ ବିନୋଦ ଆକ୍ରମଣ କରିଥିଲେ ବୋଲି ବାନ୍ଦ୍ରା ଥାନାରେ ପତ୍ନୀ କରିଥିଲେ ଅଭିଯୋଗ । ପତ୍ନୀଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୩୨୪, ଧାରା ୫୦୪ ଅନୁସାରେ ମାମଲା ରୁଜୁ କରିଛି । ମଦ ପିଇ ବିନୋଦ ପତ୍ନୀଙ୍କ ଉପରକୁ କୁକିଂ ପ୍ୟାନର ହ୍ୟାଣ୍ଡଲ ଫିଙ୍ଗି ଥିଲେ । ଫଳରେ ଏଣ୍ଡ୍ରିୟାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ସେତିକିରେ ସନ୍ତୁଷ୍ଟ ନହୋଇ ନିଶାରେ ଚୁର୍ କାମ୍ବଲି ଏକ ବ୍ୟାଟ ଘୂରାଇ ଥିଲେ ବୋଲି ଏଣ୍ଡ୍ରିୟା ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ବିନୋଦଙ୍କ ୧୨ ବର୍ଷ ବୟସ୍କ ପୁଅ ବି ଉପସ୍ଥିତ ଥିଲା । ସେ ଚେଷ୍ଟା କରି ମଧ୍ୟ ବାପାଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ଆହତ ହେବା ପରେ ଏଣ୍ଡ୍ରିୟା ଚିକିତ୍ସା ଲାଗି ଭାଭା ହସ୍ପିଟାଲକୁ ଯାଇଥିଲେ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।