ମହଙ୍ଗା ପଡ଼ିଲା ୧୦୦ ଗ୍ରାମ ଓ ୪ ଦିନ, ରାଜ୍ୟସଭାକୁ ଏବେ ଯାଇପାରିବେନି ଭିନେଶ 

ନନ୍ଦିଘୋଷ ବ୍ୟୁରୋ: ଅଲିମ୍ପିକ୍ସ ପଦକରୁ ବଂଚିତ ପରେ ଏବେ ହାତରୁ ଗଲା ରାଜ୍ୟସଭା ଯିବାକୁ ସୁଯୋଗ। ମହଙ୍ଗା ପଡ଼ିଲା ୧୦୦ ଗ୍ରାମ ଓ ୪ ଦିନ। ଭାରତର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ଶହେ ଗ୍ରାମ ଅଧିକା ହୋଇଥିବାରୁ ଫାଇନାଲରୁ ବାଦ ପଡିଥିଲେ। ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା ଅନ୍ତର୍ଜାତୀୟ ଅଲିମ୍ପିକ୍ସ ଆସୋସିଏସନ। ଏବେ ୪ ଦିନ କମ ପଡିବାରୁ ହରାଇଲେ ରାଜ୍ୟସଭା ଯିବାକୁ ସୁଯୋଗ। ରାଜ୍ୟସଭା ନାମାଙ୍କନ ଲାଗି ବୟସ ୪ ଦିନ କମ ହୋଇଯିବାରୁ ଏବେ ସଂସଦକୁ ଯାଇପାରିବେନି ଭିନେଶ ଫୋଗଟ।

ଭିନେଶଙ୍କୁ ରାଜ୍ୟସଭା ପଠାଇବାକୁ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଦା ଓ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଦାବି କରିଥିଲେ। କିନ୍ତୁ ହରିୟାଣାରେ କଂଗ୍ରେସର ବହୁମତ ନାହିଁ। ହେଲେ ପଶ୍ଚିମବଂଗରେ ତୃଣମୂଳ କଂଗ୍ରେସର ସମ୍ପୂର୍ଣ୍ଣ ବହୁମତ ରହିଛି। ତେବେ ଏବେ ରାଜ୍ୟସଭା ଯିବାକୁ  ସର୍ବନିମ୍ନ ବୟସ ୩୦ ବର୍ଷ ଥିବାବେଳେ ଭିନେଶ ଫୋଗଟଙ୍କ ବୟସ ୪ ଦିନ କମ ହେଉଛି। ଟିଏମସିର ଅଭିଷେକ ବାନାର୍ଜୀ ଭିନେଶ ଫୋଗଟଙ୍କୁ ଭାରତ ରତ୍ନ ଦେବାକୁ ମଧ୍ୟ ଦାବି କରିଛନ୍ତି।

କେବଳ ଏହି ଦୁଇ ଦଳ ନୁହଁ ଭିନେଶଙ୍କୁ ରାଜ୍ୟସଭା ପଠାଇବାକୁ ଅନେକ ଦଳ ଆଗ୍ରହ ଦେଖାଉଛନ୍ତି। ରାଜ୍ୟସଭା ନାମାଙ୍କନ ଲାଗି ଆସନ୍ତା ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ଅଗଷ୍ଟ ୨୧ ସୁଦ୍ଧା ଭିନେଶ ଫୋଗଟଙ୍କୁ ୩୦ ବର୍ଷ ପୁରୁନଥିବାରୁ କୌଣସି ଦଳ ଚାହିଁଲେ ବି ସେ ନାମାଙ୍କନ ଦାଖଲ କରିପାରିବେନି। ରାଜ୍ୟସଭାରେ ମୋଟ ୨୪୫ ଆସନ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ ସଦସ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରିପାରିବେ। ସାହିତ୍ୟ, କଳା, ସଂସ୍କୃତି ଭଳି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ଯକ୍ତିତ୍ଵଙ୍କୁ ରାଷ୍ଟ୍ରପତି ମନୋନୀତ କରିପାରିବେ।