ହାଜତ ମୃତ୍ୟୁକୁ ନେଇ ହଙ୍ଗାମା, ଲୋକଙ୍କ ଆକ୍ରମଣରେ ହାବିଲଦାର ମୃତ

1 min read
Villagers Set Police Station On Fire After Custodial Death Of youth

ପାଟଣା: ଡିଜେ ପାଇଁ ଜୀବନ ଗଲା । ହୋଲିରେ ଡିଜେ ବଞ୍ଚାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଡିଜେ ବଜାଉଥିବାରୁ ପୋଲିସ ଯୁବକଙ୍କୁ ସାଙ୍ଗରେ ଥାନାକୁ ନେଇ ଯାଇଥିଲା । ଆଉ ଥାନାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ମିଳିବା ମାତ୍ରେ ଉତ୍ୟକ୍ତ ଜନତା ଥାନାରେ ଜୋରଦାର ହଙ୍ଗାମା କରିଥିଲେ । ଲୋକେ ରାଗିଯାଇ ଥାନାରେ ନିଆଁ ଲଗାଇ ଦେଇଥିଲେ । ଏବେବି ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଲୋକଙ୍କ ଦାବି ହେଉଛି, ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ବେତିୟା ଜିଲ୍ଲାରେ ବଳଥର ଥାନା ଆର୍ଯ୍ୟନଗରରେ ଏଭଳି ଘଟଣା ଘଟିଛି । ଗାଁରେ ରହୁଥିବା ଅମୃତ ଯାଦବ ହୋଲି ମନାଇବା ପାଇଁ ଡିଜେ ଲଗାଇ ଥିଲେ । ଡିଜେ ବାଜୁଥିବା ବେଳେ ପୋଲିସ ଆସି ଅମୃତଙ୍କୁ ଥାନାକୁ ନେଇ ଯାଇଥିଲା । ଥାନାକୁ ନେବାର କିଛି ସମୟ ପରେ ଖବର ଆସିଥିଲା ଅମୃତଙ୍କ ମୃତ୍ୟୁ ହୋଇଛି । ଖବର ବିଦ୍ୟୁତ୍ ବେଗର ବ୍ୟାପିବା ମାତ୍ରେ ଗାଁ ଲୋକଙ୍କ ରାଗ ଚରମରେ ପହଞ୍ଚିଥିଲା । ଗାଁ ଲୋକ ଥାନା ଘେରାଉ କରିବା ସହ ନିଆଁ ଲଗାଇ ଦେଇଥିଲେ ।

Villagers Set Police Station On Fire After Custodial Death Of youth

ଉତ୍ତେଜନା ଓ ନିଆଁ ଲାଗିବା ପରେ ସମସ୍ତ ପୋଲିସ ଥାନା ଛାଡ଼ି ପଳାଇ ଥିଲେ । ପ୍ରଶାସନ ନିକଟସ୍ଥ ଥାନାରୁ ଫୋର୍ସ ମଗାଇଥିଲା । ତଥାପି ଉତ୍ତେଜନା ଶାନ୍ତ ପଡ଼ି ନଥିଲା । ବାଧ୍ୟ ହୋଇ ଉଚ୍ଚ ପୋଲିସ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିଥିଲେ । ଏବେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ଏସପି ସୂଚନା ଦେଇଛନ୍ତି । ଲୋକେ ୩ଟି ପୋଲିସ ଗାଡ଼ିକୁ ପୋଡ଼ି ଦେଇଥିବା ବେଳେ ଲୋକଙ୍କ ମାଡ଼ରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ତେବେ ପୋଲିସ ହେପାଜତରେ ଅମୃତଙ୍କ ମୃତ୍ୟୁ କିଭଳି ହେଲା ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ଏସପି ।