ସାଂସଦଙ୍କୁ ଗାଁରେ ପ୍ରବେଶ କରାଇ ଦେଲେନି ଗ୍ରାମବାସୀ, ଭାଙ୍ଗିଦେଲେ ଗାଡି

ହାଇଦ୍ରାବାଦ: ତେଲେଙ୍ଗାନାରେ ବର୍ଷା ପ୍ରଭାବିତ ଏକ ଗାଁକୁ ଗସ୍ତ ବେଳେ ବିଜେପି ସାଂସଦ ଡି. ଅରବିନ୍ଦଙ୍କ କାରକେଡ୍‌କୁ ଆକ୍ରମଣ । ସେମାନେ ସାଂସଦଙ୍କ କାରକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି  । ଫଳରେ ଘଟଣାସ୍ଥଳରେ ସାଂସଦଙ୍କ ସମର୍ଥକ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଏଥିପାଇଁ ଶାସକ ଟିଆରଏସକୁ ଦାୟୀ କରିଛନ୍ତି ବିଜେପି ସାଂସଦ । ଗୋଦାବରୀ ନଦୀରେ ଜଳସ୍ତର ବଢିବାରୁ ଆଖପାଖ ଅଞ୍ଚଳର ଗାଁ ଗୁଡିକ ପ୍ରଭାବିତ ହୋଇଛନ୍ତି ।

ସ୍ଥିତି ଅନୁଧ୍ୟାନ ପାଇଁ ସାଂସଦ ଗାଁରେ ପହଞ୍ଚିଥିବା ବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଗ୍ରାମବାସୀ । କାରକେଡ ସହ ସାଂସଦଙ୍କ ଗାଡିରେ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ସାଂସଦକୁ ଆକ୍ରମଣ, କାରକେଡକୁ ଅଟକାଇବା, ଧମକ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ପୋଲିସ  ।

ଆକ୍ରମଣ ପରେ ବିଜେପି ସାଂସଦ ଟ୍ବିଟ କରି କହିଛନ୍ତି ଯେ ‘ମୋ ବିରୁଦ୍ଧରେ ଟିଆରଏସର ଷଡଯନ୍ତ୍ରପୂର୍ଣ୍ଣ ଆକ୍ରମଣ । ଲୋକେ ବନ୍ୟାଞ୍ଚଳରୁ ସାହାଯ୍ୟ ମାଗୁଥିବାବେଳେ ଟିଆରଏସ ସରକାର ମୁଁ ଓ ମୋ କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ଆକ୍ରମଣ ଯୋଜନା କରିବା ପାଇଁ ଫୁରସତ ମିଳିଛି’ ।

ଗୋଦାବରୀ ନଦୀ ପାଖରେ ଥିବାରୁ ଅଧିକାଂଶ ସମୟରେ ଗାଁରେ ବନ୍ୟାଜଳ ପ୍ରବେଶ କରିଥାଏ । ଦୀର୍ଘଦିନରୁ ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି । କିନ୍ତୁ ସେମାନଙ୍କ ଦାବି ପୂରଣ ନ ହେଉଥିବାରୁ ଜନଆକ୍ରୋଶର ଶିକାର ହୋଇଛନ୍ତି ସାଂସଦ । ଗୁରୁବାର ମଧ୍ୟ ଜଣେ ସ୍ଥାନୀୟ ବିଧାୟକଙ୍କୁ ଗାଁରେ ପ୍ରବେଶ ପାଇଁ ବାରଣ କରିଥିଲେ ଗ୍ରାମବାସୀ ।